କଟକ:ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ସୋମବାର ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି କ୍ରୟ କରିଥିବା ୬ ଜଣ କ୍ରେତାଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ରାଜସ୍ବ ପର୍ସଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ, ପୁରୀ ମୁନିସିପାଲିଟି, ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଏହା ସହ ପୁରୀ ଜିଲ୍ଲାପାଳ ଓ ତହସିଲଦାର ଜବାବ ଦାଖଲ କରିଥିବା ବେଳେ ଆବେଦନକାରୀଙ୍କୁ ପ୍ରତି ଜବାଵ ଦାଖଲ କରିବାକୁ କହିଛନ୍ତି ଅଦାଲତ। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶଯାଇଛି। ଶାବକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିବା ବେଳେ ହାଲ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ୧୯୫୫ ମସିହାରେ ଶ୍ରୀମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ। ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଅନ୍ୟ ଏକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ଏହି ଦୁଇ ମାମଲାର ଏକତ୍ର ଶୁଣାଣି ଚାଲିଛି।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0