ନୂଆଦିଲ୍ଲୀ: ନେପାଳରେ ଉପୁଜିଥିବା ରାଜନୈତିକ ସଙ୍କଟ ପୂର୍ବପରି ଥିବା ବେଳେ କରୋନା ଭାଇରସ୍ ସଂକ୍ରମଣ ଦମନ ପାଇଁ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରିବାକୁ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ରାଷ୍ଟ୍ରପତି ବି. ଡି. ଭଣ୍ଡାରୀଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି ହେଲେ ଅସନ୍ତୁଳିତ ବୈଦେଶିକ ନୀତି ଯୋଗୁଁ ନିଜ ଦଳରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଥିବା ପ୍ରଧାନମନ୍ତ୍ରୀ ଓଲି ମଧ୍ୟ ନିସ୍ତାର ପାଇଯିବେ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରିବାକୁ ରାଷ୍ଟ୍ରପତି ଭଣ୍ଡାରୀ ଆଗ୍ରହୀ ନୁହନ୍ତି। ସେ ଆଲୋଚନା ମାଧ୍ୟମରେ ନେତାମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟକୁ ସମାଧାନ କରିବାକୁ କହିଛନ୍ତି । ନେପାଳୀ ସେନା ମଧ୍ୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତିରେ ସୈନିକ ମୁତୟନ କରିବା ସପକ୍ଷରେ ନାହାନ୍ତି । ତେଣୁ ରାଜନୈତିକ ମତପାର୍ଥକ୍ୟ ସମାଧାନ ନିମନ୍ତେ ଆଜି ପୁଣି ପ୍ରଧାନମନ୍ତ୍ରୀ ଓଲି ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ସହ-ଅଧକ୍ଷ ପି.କେ ଦହଲଙ୍କୁ ଭେଟି ଆଲୋଚନା କରିବେ । ଦଳ ବିଭାଜନ ହୋଇଗଲେ ବି ସେ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ ବୋଲି ଓଲି ସ୍ପଷ୍ଟ କରି କହିଛନ୍ତି । କାଠମାଣ୍ଡୁରେ କ୍ଷମତା ଅକ୍ତିଆର ଖେଳ ଚାଲିଥିବା ବେଳେ ଏଥିରେ ଇନ୍ଧନ ଯୋଗାଉଛନ୍ତି ନେପାଳସ୍ଥିତ ଚୀନ୍ ରାଷ୍ଟ୍ରଦୂତ ହୌ ୟାଙ୍କି। ସେ ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ନେତାଙ୍କ ଉପରେ ଚାପ ପକାଉଛନ୍ତି । ନେପାଳ କମ୍ୟୁନିଷ୍ଟ୍ ପାର୍ଟିର ଜଣେ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ଓଲିଙ୍କ ବିନା ମଧ୍ୟ ଦଳ ସୁଦୃଢ଼ ରହିବ ବୋଲି ହୌଙ୍କ ସହ ଏକ ବୈଠକ ସମୟରେ କହିଥିଲେ। ନେପାଳରେ ଚୀନ୍ ରାଷ୍ଟ୍ରଦୂତଙ୍କ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ସେ ତୀବ୍ର ସମାଲୋଚନାର ଶରବ୍ୟ ହୋଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0