spot_img

କଟକରେ ମହିଳାଙ୍କ ପାଇଁ ମେୟର ପଦବୀ ଅଣସଂରକ୍ଷିତ , ଭୁବନେଶ୍ୱର ଓ ବ୍ରହ୍ମପୁରରେ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର: ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରହିଛି। ସେହିପରି ବ୍ରହ୍ମପୁର, କଟକ, ଭୁବନେଶ୍ୱର ମହାନଗର ନିଗମ ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ ହୋଇଛି। ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନେଇ ବି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି। ଏଣେ କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଛି। ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ ଥିବା କୁହାଯାଇଛି।
ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲା। ୱାର୍ଡ ସୀମା ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଚିଠି ଲେଖିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅଧ୍ୟାଦେଶ ଜରିଆରେ ସଂଶୋଧନ ଆଣିଛନ୍ତି। ୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ଆଜି ସୁଦ୍ଧା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା।
ଜାନୁଆରି ୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଏବଂ ୧୩ ତାରିଖରେ ଶୁଣାଣି ହୋଇ ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଁ ଏଥିରେ କୁହାଯାଇଥିଲା। ସେହିପରି ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ କରିବାକୁ କୁହାଯାଇଥିଲା। ୭ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ୧୬ ତାରିଖ ସୁଦ୍ଧା ଶୁଣାଣି ଶେଷ କରିବାକୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular