ଭୁବନେଶ୍ବର : ଡିନାମାଇଟ୍ ଲଗାଇ ଯାଜପୁର ଜିଲ୍ଲା କେଲୁଅ ନଦୀବନ୍ଧ ଉଡ଼ାଇ ଦିଆଯିବା ଘଟଣାର ଭିଜିଲାନସକୁ ତଦନ୍ତ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଭିଜିଲାନସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ପ୍ରାଥମିକ ତଦନ୍ତ କରି ଆସନ୍ତା ମାର୍ଚ ୧୨ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ଲୋକାୟୁକ୍ତଙ୍କ ନିର୍ଦେଶ ପରେ ନଦୀବନ୍ଧକୁ ମନୁଷ୍ୟକୃତ ଭାବେ ନଷ୍ଟ ନା ବନ୍ୟା ଜଳରେ ନଷ୍ଟ ହୋଇଛି ତାହା ଉପରୁ ପରଦା ଉଠିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ-୫ରେ ଗୋକର୍ଣ୍ଣେଶ୍ବରରୁ ମଝିପଡ଼ା ରାସ୍ତାର କେଲୁଅ ନଦୀବନ୍ଧ ନିର୍ମାଣ ପୂର୍ବରୁ ଜଳସଂପଦ ବିଭାଗ ଅଧୀନରେ ରହିଥିଲା। ପରବର୍ତୀ ସମୟରେ ଏହା ପୂର୍ତ ବିଭାଗ ଅଧୀନକୁ ଆସିଥିଲା। ନଦୀବନ୍ଧ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ନଜରକୁ ଆସିଥିଲା। ଏଥିରେ ସ୍ଥାନୀୟ ବିଧାୟକ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେବା ଯୋଗୁଁ ବାଧ୍ୟ ହୋଇ ଠିକାଦାର ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ଏହି ନିମ୍ନମାନର କାର୍ୟ୍ୟକୁ ଲୁଚାଇବା ପାଇଁ ଗତବର୍ଷ ବନ୍ୟା ସମୟରେ ଡିନାମାଇଟ ଲଗାଇ ନଦୀବନ୍ଧକୁ ଉଡ଼ାଇ ଦିଆଯାଇଥିଲା। ଫଳରେ ନଦୀରେ ୩ଶହ ଫୁଟର ଏକ ଘାଇ ହେବା ସହିତ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା। ଏହି ଘଟଣାରେ ଜାରକା ଜଳସେଚନ ଉପଖଣ୍ଡର ଉପ-ନିର୍ବାହୀ ଇଞ୍ଜିନିୟର ଯାଜପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାତ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶ୍ରୀ ବେହୁରାଙ୍କ ପିଟିସନ ଆଧାରରେ ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲପାଳ, ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ, ଉପ-କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ନୋଟିସ୍ କରିଥିଲେ। ୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବା ଲାଗି କୁହାଯାଇଥିଲା। ନୋଟିସ ହୋଇଥିବା ବ୍ୟକ୍ତିମାନେ ଏହାର ଉତ୍ତର ରଖିବା ସହିତ କୌଣସି ନିମ୍ନମାନର କାର୍ୟ୍ୟ ହୋଇ ନ ଥିବା ଦର୍ଶାଇଥିଲେ।



Visitors Today : 2
Total Visitors : 130439
Total Views : 9891970
Visitors Online Now : 0