ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ଜିତିବାର ଆଶା ଅଧିକ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍। ବୁଧବାର ଭାରତ ତା’ର ଦ୍ୱିତୀୟ ୱାର୍ମ-ଅପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ସେ ଏହି ମତ ଦେଇଛନ୍ତି। ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ରବିବାର ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଏହାକୁ ଫାଇନାଲ୍ ପୂର୍ବରୁ ଫାଇନାଲ୍ ମ୍ୟାଚ୍ ବୋଲି କହିଛନ୍ତି ଇଞ୍ଜାମାମ୍। ଏହା ଏକ ଭଲ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ୍ରେ ଇଞ୍ଜାମାମ କହିଛନ୍ତି ଯେ ଉପମହାଦେଶୀୟ ପିଚ୍ ଓ ସେହି ତୁଲ୍ୟ ପିଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ସବୁଠୁ ବିପଜ୍ଜନକ। ଯଦି ଆପଣମାନେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଦେଖିବେ, ତା’ହେଲେ ୧୫୩ ରନ୍ର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ଖୁବ୍ ସହଜରେ ହାସଲ କରି ନେଇଥିଲା। ଏପରିକି ବିରାଟ କୋହଲିଙ୍କୁ ବ୍ୟାଟିଂ କରିବାକୁ ପଡ଼ିଲା ନାହିଁ। ସେମାନେ ଅଷ୍ଟ୍ରେଲିଆ ଭଳି ଟିମ୍ ବିପକ୍ଷରେ ବିନାକୌଣସି ବାଧାରେ ଖେଳିଥିଲେ। ସେ ଆହୁରି କହିଛନ୍ତି, ଏକ ଟୁର୍ଣ୍ଣାମେଣ୍ଟରେ କେବେ ବି କହି ହେବନି ଯେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ହିଁ ଜିତିବ। ସବୁ ହେଉଛି ସୁଯୋଗର କଥା। ତେବେ ମୋ ମତରେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ଜିତିବାର ସମ୍ଭାବନା ଅଧିକ ରହିଛି। ଦଳ ପାଖରେ ଟି-ଟ୍ୱେଣ୍ଟିରେ ଅଭିଜ୍ଞତା ଥିବା ଖେଳାଳିଙ୍କ ସଂଖ୍ୟା ଅଧିକ ରହିଛି। କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ବି ଦଳ ବେଶ୍ ଦୃଢ଼। ସେ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ସ୍ପିନ୍ ବୋଲରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। କାରଣ ୟୁଏଇରେ ବଲ୍ ଅଧିକରୁ ଅଧିକ ସ୍ପିନ୍ ହେବାର ସମ୍ଭାବନା ରହିଛି। ଆଉ ଭାରତ ଏହାର ଭରପୂର ଫାଇଦା ଉଠାଇବ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0