spot_img

ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ଦେବାକୁ ପଡ଼ିବ କରୋନା ଘୋଷଣାପତ୍ର

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଦେଶରେ ନିଟ୍ ଓ ଜେଇଇ ପରୀକ୍ଷା ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଓ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍ କୋର୍ଟ ସ୍ପଷ୍ଟ କରିଥିଲେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସେପ୍ଟେମ୍ବର ୧ରୁ ୬ତାରିଖ ମଧ୍ୟରେ ପ୍ରସ୍ତାବିତ ପ୍ରବେଶିକା ପରୀକ୍ଷାର ଆଡ୍‌ମିଟ୍ କାର୍ଡ଼ ୱେବସାଇଟରେ ଜାରି କରାଯାଇଛି । ପରୀକ୍ଷାର୍ଥୀମାନଙ୍କୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ । ପରୀକ୍ଷା କେନ୍ଦ୍ରରେ ଥିବା ଇନଭିଜିଲେଟରଙ୍କ ନିକଟରେ ଏହାକୁ ଜମା କରିବାକୁ ପଡ଼ିବ । ଗତ ୧୫ ଦିନ ପୂର୍ବରୁ ଥଣ୍ଡା, କାଶ, ଜ୍ୱର, କଫ ତଥା ନିଶ୍ୱାସ ପ୍ରଶ୍ୱାସରେ କୌଣସି ସମସ୍ୟା ନଥିବା ଘୋଷଣାପତ୍ରରେ ଅବଗତ କରାଇବାକୁ ପଡ଼ିବ । କୌଣସି ସମସ୍ୟା ଥିଲେ ସେଥିନେଇ ସ୍ପଷ୍ଟ କରିବାକୁ ପଡ଼ିବ । ପରୀକ୍ଷାର୍ଥୀ ଗତ ଦିନମାନଙ୍କରେ ଯଦି କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ, ସେ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ । ସେଲ୍ଫ ଡିକ୍ଲାରେସନ୍‌ରେ ପରୀକ୍ଷାର୍ଥୀଙ୍କର ଫଟୋ, ଆଙ୍ଗୁଳିର ଚିହ୍ନ ତଥା ଅଭିଭାବକଙ୍କର ହସ୍ତାକ୍ଷର ଅନିବାର୍ଯ୍ୟ । ପରୀକ୍ଷା ଶେଷ ହେବା ପରେ ଆଡମିଟ୍ କାର୍ଡ ଏବଂ ରଫ୍ ସିଟ୍ ନିର୍ଦ୍ଧାରିତ ବାକ୍ସରେ ଜମା କରିବାକୁ ପଡ଼ିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular