ଭୁବନେଶ୍ୱର : ଦେଶର ୨୩ଟି ଆଇଆଇଟିରେ ନାମଲେଖା ଲାଗି ଆଜି ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହୋଇଛି। ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷା ଲାଗି ୧ ଲକ୍ଷ ୬୦ ହଜାର ୮୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ ପ୍ରାୟ ୧ ଲକ୍ଷ ୫୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ୫ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୩୦୦ ଜଣ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଭୁବନେଶ୍ବରର ୯ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବି ବ୍ୟାପକ ସତର୍କତା ମଧ୍ୟରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପେପର୍-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହୋଇଥିଲା। କମ୍ପ୍ୟୁଟର ବେସଡ ଟେଷ୍ଟ(ସିବିଟି) ମୋଡରେ ପରୀକ୍ଷା ହୋଇଥିବାରୁ ଜେଇଇ ମେନ୍ ପରି କୋଭିଡ୍-୧୯ ଗାଇଡଲାଇନ୍ ପାଳନ କରାଯାଇଥିଲା। ଅକ୍ଟୋବର ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଅକ୍ଟୋବର ୬ରୁ ସିଟ୍ ଆଲଟମେଣ୍ଟ ଆରମ୍ଭ ହୋଇ ନଭେମ୍ବର ୯ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରାଯିବ।