ପୁଣି ଥରେ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ପାଗଳ କରିବାକୁ ଅଣ୍ଟା ଭିଡିଲେଣି କାଜଲ। ଏଥର କାଜଲଙ୍କୁ ଡାଇରେକ୍ଟ କରିବେ ଦକ୍ଷିଣ ଭାରତ ଫିଲ୍ମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଅଭିନେତ୍ରୀ ରେବତୀ । ଏହି ଫିଲ୍ମ ନାଁ ‘ଦ ଲାଷ୍ଟ ହୁରା’ ରହିଥିବା ବେଳେ ଏକ ନାରୀକେନ୍ଦ୍ରିକ ଫିଲ୍ମ । ଏହାର ଲିଡ୍ ରୋଲରେ ନଜର ଆସିବେ କାଜଲ । ଏକ ବାସ୍ତବିକ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ଲାଷ୍ଟ ହୁରା’ ବେଶ୍ ପ୍ରେରଣାଦାୟକ । ‘ସୁଜାତା’ ନାମକ ଚରିତ୍ରର ଚାରିପଟେ ଫିଲ୍ମଟି ଘୂରି ବୁଲୁଥିବା ବେଳେ ଏହି ମହିଳାଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ। ଫିଲ୍ମର ଷ୍ଟାରକାଷ୍ଟ ଫାଇନାଲ ହୋଇଯାଇଥିବା ବେଳେ ଏହା ଏବେ ପ୍ରି-ପ୍ରଡକସନ୍ ଷ୍ଟେଜ୍ରେ ଅଛି । ଖୁବ୍ ଶୀଘ୍ର ଏହା ଫ୍ଲୋରକୁ ଯିବ ବୋଲି ପ୍ରଡକସନ୍ ୟୁନିଟ୍ ତରଫରୁ କୁହାଯାଇଛି। ଅପରପକ୍ଷେ, ଏନେଇ କାଜଲ କହିଛନ୍ତି, ଏହି କାହାଣୀ ଶୁଣିବା ପରଠୁ ମୁଁ ସୁଜାତା ଚରିତ୍ର ସହ ନିଜକୁ ଯୋଡ଼ିବାକୁ ଲାଗିଛି । ଏହି ଯାତ୍ରା ବାସ୍ତବରେ ଖୁବ୍ ଅବିଶ୍ୱସନୀୟ ଓ ପ୍ରେରଣାଦାୟୀ ବୋଲି ହୃଦୟଙ୍ଗମ କଲି। ଏହା ଏକ ସୁନ୍ଦର ଯାତ୍ରା ହୋଇଥିବାରୁ ଏହାକୁ ସମସ୍ତଙ୍କ ସହ ଶେଆର କରିବା ଆବଶ୍ୟକ ବୋଲି ଅନୁଭବ କରି ହଁ ମାରିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରେବତୀ ନିଜ କାନ୍ଧକୁ ନେଇଛନ୍ତି।କାଜଲଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ ନେଇ ରେବତୀ କହିଛନ୍ତି, ଏହି ଫିଲ୍ମରେ ସୁଜାତାଙ୍କ ଯାତ୍ରା ମୋ ହୃଦୟକୁ ବେଶ୍ ଛୁଇଁପାରିଛି। ଏହି ଫିଲ୍ମ କାହାଣୀ ଶୁଣୁଥିବା ବେଳେ ସୁଜାତାଙ୍କ ଚରିତ୍ରରେ ମୁଁ ପ୍ରଥମେ କାଜଲଙ୍କୁ ହିଁ ଦେଖିବାକୁ ପାଇଲି। ଜୀବନରେ ସବୁ କିଛି ସମ୍ଭବ ବୋଲି ବିଶ୍ୱାସ ଜନ୍ମାଇବାକୁ ତାଙ୍କ କଥାକୁହା ଆଖି ସାଙ୍ଗକୁ ନିଷ୍ପାପ ହସ ଯଥେଷ୍ଟ। ତେଣୁ ସୁଜାତା ଚରିତ୍ର ପାଇଁ ସମସ୍ତ ଆବଶ୍ୟକ ଗୁଣ କାଜଲଙ୍କଠାରେ ଭରି ହୋଇ ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0