spot_img

ଉପକୂଳ ଜିଲ୍ଲାର ଚିନ୍ତା ବଢାଉଛି ଅଭାବି ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଅଭାବି ବର୍ଷା ଉପକୂଳ ଜିଲ୍ଲା ଚାଷୀଙ୍କ ଚିନ୍ତା ବଢାଇବାରେ ଲାଗିଛି । ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାର ପରିମାଣ କମିଛି । ଜୁନ୍ ପହିଲାରୁ ଜୁଲାଇ ମାସ ଶେଷ ଶୁଦ୍ଧା ସ୍ୱାଭାବିକ ଭାବେ ୪୫୮.୬ ମିମି ବର୍ଷା ହେବା କଥା । ମାତ୍ର ତାହା ୪୧୬.୪ ମିମି ବର୍ଷା ହୋଇଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷାର ପରିମାଣ ବହୁତ କମିଯାଇଛି । ଜୁଲାଇ ମାସରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ୬୦ ପ୍ରତିଶତ କମ୍ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉପକୂଳ ଜିଲ୍ଲା ଗୁଡିକୁ ଛାଡି ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ଅଧିକ ବର୍ଷା ହୋଇଥିବା ବେଳେ ସୋନପୁର ଜିଲ୍ଲାରେ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଓଡିଶାରେ ବର୍ଷାର ପରିମାଣ ବଢିବା ସହ ଉତ୍ତର ଓ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ଭିତରେ ଉତ୍ତର-ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଆଜି କେନ୍ଦ୍ରୀୟ ଓ ଉତ୍ତର ଓଡିଶାର କେତକ ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ନୟାଗଡରେ ସର୍ବାଧିକ ୫୫ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular