ନୀଳଗିରି: ତାସ ଖେଳରେ ହାରିଯିବା ପରେ ଜଣେ ଯୁବକ ଆଜି ରକ୍ତମୁହାଁ ହୋଇଉଠିଛି। ଏହି ଖେଳରେ ଜିତିଥିବା ଯୁବକଙ୍କୁ ହାରିଯାଇଥିବା ବ୍ୟକ୍ତି ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ଭୁଜାଲିରେ ହାଣିଛି। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କେସିମାହାଲ ପଂଚାୟତ ଅନ୍ତର୍ଗତ ତହିଲାସାହି ଗାଁରେ ଆଜି ଏହି ଅଭାବନୀୟ ହତ୍ୟା ଘଟଣା ଘଟିଛି। ମୃତ ଯୁବକ ହେଲେ କୁନା ଭୋଳ। ଅଭିଯୁକ୍ତ ଗଣେଶ ସିଂ ହତ୍ୟା ପରେ ଫେରାର ଅଛି। ଏନେଇ କୁନା ଭୋଳଙ୍କ ସ୍ତ୍ରୀ ମୀନତି ସିଂ ଥାନାରେ ଅଭିଯୋଗ କଲା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ତହିଲାସାହି ଗାଁରେ ଆଜି ଅପରାହଣରେ ତାସ ଖେଳ ଚାଲିଥିଲା। ୪ ଜଣ ତାସ ଖେଳୁଥିବା ବେଳେ ଅନ୍ୟ କିଛି ଲୋକ ପାଖରେ ବସିଥିଲେ। ଏଥିରେ ଗଣେଶ ସିଂ ହାରି ଯାଇଥିଲା। ଖେଳରେ ହାରିଯିବା ପରେ ସେ କୁନାଙ୍କ ସହ ଯୁକ୍ତିତର୍କ କରିଥିଲା। ପରେ ସେ ଉତ୍ତେଜିତ ହୋଇ କୁନାଙ୍କୁ ଆକ୍ରମଣ କରିଥିଲା। କୁନା ଗୁରୁତର ହେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଗୁରୁତର କୁନାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ମୃତଦେହ ଜବତ କରିଛି। ପୁଲିସ ଗଣେଶ ସିଂଙ୍କ ଘରେ ପହଂଚି ତାର ଆଧାରକାର୍ଡ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ତହିଲାସାହିରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ଅଭିଯୁକ୍ତ ଗଣେଶକୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରି ଦେଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0