ଜମ୍ମୁ-କାଶ୍ମୀର : ଦୀର୍ଘ ୪୩୪ ଦିନ ପରେ ମୁକୁଳିଲେ ମେହବୁବା ମୁଫତି । ଜମ୍ମୁ-କାଶ୍ମୀରର ୩୭୦ ଧାରା ଉଚ୍ଛେଦ ପରେ ସରକାରଙ୍କ ନଜରବନ୍ଦୀରେ ରହିଥିଲେ ପିଡିପି ମୁଖ୍ୟ ମେହବୁବା । ମୁକ୍ତି ପରେ ସେ ୧ ମିନିଟ ୨୩ ସେକେଣ୍ଡର ଏକ ଅଡିଓ ଟେପ ଜାରି କରିଛନ୍ତି । କହିଛନ୍ତି ଧାରା ୩୭୦ ଅବୈଧ ଅଟେ । ଜମ୍ମୁ- କାଶ୍ମୀର ଜନତା ସେହି କଳା ଦିନର ନିଷ୍ପତ୍ତି ବଦଳାଇବାକୁ ଏକତ୍ରିତ ହୋଇ ଲଢିବେ ।
୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ସହିତ ମେହବୁବା ମୁଫତିଙ୍କୁ ପିଏସଏ ଆଧାରରେ ଅଟକ ରଖାଯାଇଥିଲା। ତେବେଠୁ ଆଜି ପର୍ୟ୍ୟନ୍ତ ତାଙ୍କ ଅଟକ ଅବଧି ଲଗାତାର ବଢି ଚାଲିଥିଲା। ଶେଷରେ ୧୪ ମାସ ଆଠ ଦିନ ପରେ ଜାମ୍ମୁ-କାଶ୍ମୀର ପ୍ରଶାସନ ମୁଫତିଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ମେହବୁବାଙ୍କ ଟ୍ଵିଟର ଆକାଉଣ୍ଟରୁ ତାଙ୍କ ଝିଅ ଇଲତିଜା ମୁଫତି ଟ୍ଵିଟ୍ କରିଛନ୍ତି, ମେହବୁବା ମୁଫତିଙ୍କ ବେଆଇନ ଅଟକ ଅବଧି ସମାପ୍ତ ହେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ଏହି ସମୟରେ ମୋ ସହିତ ରହିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ମେହବୁବା ମୁଫତିଙ୍କ ମୁକ୍ତି ଦାବି କରି ତାଙ୍କ ଝିଅ ଇଲତିଜା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ଯେ, କେନ୍ଦ୍ର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ପର୍ୟ୍ୟନ୍ତ ଏବଂ କେଉଁ ଆଦେଶରେ ଅଟକ ରଖିବାକୁ ଚାହୁଁଛି। ୩୭୦ ଉଚ୍ଛେଦ ସହିତ ସତର୍କତାମୂଳକ ପିଏସଏ ଆଧାରରେ ୪୪୪ ଜଣଙ୍କୁ ଅଟକ ରଖାଯାଇଥିଲା। ଏଥିରେ ଅଧିକାଂଶ ଲୋକଙ୍କୁ ଏବେ ମୁକ୍ତ କରାଯାଇଛି। କିଛି ଲୋକଙ୍କୁ ଏହି ସର୍ତ୍ତରେ ମୁକ୍ତ କରାଯାଇଛି ଯେ, ସେମାନେ କୌଣସି ରାଜନୈତିକ ବୟାନ ଦେବେ ନାହିଁ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0