ନୂଆଦିଲ୍ଲୀ: ବିଶ୍ୱବାସୀଙ୍କ ସାମ୍ନାରେ ଉଭା ହୋଇଥିବା କରୋନା ମହାସଙ୍କଟର ମୁକାବିଲା ପାଇଁ ନିଜ ଦକ୍ଷତା ବଳରେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ‘ୱାର୍ଲଡ ୟ୍ରୁଥ୍ ସ୍କିଲ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ଯବପିଢ଼ିଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି । ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ହେବାରେ ଆମକୁ ଏହା ସାହାଯ୍ୟ କରିବ । କୋଭିଡ଼-୧୯ ଆମର କାର୍ଯ୍ୟ କରିବାର ସ୍ୱରୂପ ବଦଳାଇ ଦେଇଛି । ନୂଆ ପ୍ରଯୁକ୍ତି ବିଦ୍ୟା ମଧ୍ୟ ଆମ ଜୀବନକୁ ପ୍ରଭାବିତ କରିଛି । ସାଂପ୍ରତିକ ସମାଜରେ ସମୟ ଉପଯୋଗୀ ହୋଇ ରହିବା ନିହାତି ଗୁରୁତ୍ବପୂର୍ଣ୍ଣ । ପ୍ରାସଙ୍ଗିକ ହୋଇ ରହିବାର ମନ୍ତ୍ର ହେଉଛି- ଦକ୍ଷ ହୁଅ, ପୁନଃ- ଦକ୍ଷତା ହାସଲ କର । ଅତିରିକ୍ତ ଦକ୍ଷତା ହାସଲ କରିବା ହିଁ ପ୍ରାସଙ୍ଗିକ ହୋଇ ରହିବାର ମନ୍ତ୍ର । ଏହାକୁ ମୋଦୀ ଏକ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଯେମିତି ଖଣ୍ଡେ କାଠରୁ ଚେୟାରଟିଏ ଗଢାଯିବା ପରେ ତା’ର ମୂଲ୍ୟ ବଦଳିଯାଇଥାଏ । ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗ ହେଲା ପରେ ତା’ର ମୂଲ୍ୟରେ ପରିବର୍ତ୍ତନ ହେଲା । ଠିକ୍ ସେମିତି ସମୟ ଉପଯୋଗୀ ରହିବା ପାଇଁ ନିଜର ଦକ୍ଷତା ବୃଦ୍ଧି ନିତାନ୍ତ ଜରୁରୀ । ନୂଆ ଜିନିଷ ଶିଖିବା ସହ ନିଜର ଦକ୍ଷତା ବଢ଼ାଇ ଚାଲିଲେ ତାହା ଆମକୁ ଆତ୍ମନିର୍ଭର କରିବ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0