ଇନ୍ଦୋର: ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଲତା ଦିଦିଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ । ଏପରି ବଡ଼ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେହିପରି ଇନ୍ଦୋରରେ ତାଙ୍କ ନାଁରେ ମ୍ୟୁଜିୟମ, ମ୍ୟୁଜିକ ବିଶ୍ୱବିଦ୍ୟାଳୟ, ଏକାଡେମି ଓ ତାଙ୍କର ଗୋଟିଏ ଷ୍ଟାଚ୍ୟୁ ପ୍ରତିଷ୍ଠା ହେବ। ରବିବାର ଲତା ଦିଦି ୯୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଲରେ ତାଙ୍କର ସ୍ମୃତି ଚାରଣ କରିଛନ୍ତି। ସେ ଲତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବୃକ୍ଷ ରୋପଣ କରିଛନ୍ତି। ବୃକ୍ଷ ରୋପଣ ହେଉଥିବା ପଡ଼ିଆରେ ସେ ଲତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକ ମଧ୍ୟ ପ୍ରକାଶ କରିଥିଲେ।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଲତାଜୀ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ସ୍ଥାନ ସହ ତାଙ୍କର ଅନେକ ସ୍ମୃତି ରହିଛି। ତାଙ୍କ ସ୍ମୃତିରେ ଆମେ ଇନ୍ଦୋର ଠାରେ ଗୋଟିଏ ମ୍ୟୁଜିକ ଏକାଡେମୀ, ଗୋଟିଏ ସଂଗୀତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବୁ। ସେହିପରି ପରବର୍ତ୍ତୀ ପିଢ଼ିଙ୍କୁ ତାଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ଇନ୍ଦୋରରେ ଗୋଟିଏ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ। ଏଥିସହ ଲତା ଦିଦିଙ୍କ ଗୋଟିଏ ଷ୍ଟାଚ୍ୟୁ ନିର୍ମାଣ ହେବ। ରାଜ୍ୟରେ ପ୍ରତିବର୍ଷ ଲତା ଦିଦିଙ୍କ ଜନ୍ମ ବାର୍ଷିକୀରେ ସଂଗୀତ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲୋକଙ୍କୁ ସମ୍ମାନୀତ କରାଯିବ। ଲତା ଦିଦିଙ୍କ ନାଁରେ ଏହି ପୁରସ୍କାର ଦିଆଯିବ।”
ସୂଚନାଯୋଗ୍ୟ, ଜାନୁଆରୀ ମାସରୁ କରୋନାରେ ଆକ୍ରାନ୍ତ ହୋଇ ଲତା ମଙ୍ଗେଶକର ମୁମ୍ବାଇର ବ୍ରିଚ କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଥିବା ବେଳେ ସେ କରୋନାରୁ ସୁସ୍ଥ ହୋଇଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେତେଟା ସୁଧାର ଆସି ନଥିଲା। ଶେଷରେ ରବିବାର ସକାଳ ୮.୧୨ରେ ଭାରତ ରତ୍ନ ତଥା ଭାରତର ସ୍ୱର ଲତା ଦିଦି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0