ଲଣ୍ଡନ: କରୋନା ଭାଇରସକୁ ପରାଜିତ କରିବାକୁ ସାରା ବିଶ୍ୱ ଏକାଠି ହୋଇ ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ସଫଳତା ଏଯାଏ ମିଳିନାହିଁ । ଏହାର ଏକ କାରଣ ହେଉଛି କରୋନା ଭାଇରସ ନିଜକୁ ବଦଳାଇ ଚାଲିଛି । ଏପରିକି ଏବେ ବିଶ୍ୱରେ ଥିବା କରୋନା ଭାଇରସ ଉହାନରୁ ବାହାରିଥିବା ମୂଳ ଭାଇରସଠାରୁ ବେଶ ଅଲଗା । ବୈଜ୍ଞାନିକମାନେ କରୋନା ଭାଇରସର ଏହି ନୂତନ ପ୍ରକାରର ମ୍ୟୁଟେସନକୁ ଡି୬୧୪ଜି କହୁଛନ୍ତି । ଇଂଲାଣ୍ଡର ବର୍ମିଂହାମ ବିଶ୍ୱବିଦ୍ୟାଳୟର ପ୍ରଫେସର ନିକ ଲୋମାନ କହିଛନ୍ତି ଯେ ଏହି ଡି୬୧୪ଜି ଦ୍ୱାରା ମଣିଷଙ୍କ ମଧ୍ୟରେ ଦ୍ରୁତଗତିରେ କରୋନା ବ୍ୟାପିଚାଲିଛି । ତେବେ ଏହା ପୂର୍ବର କରୋନା ଭାଇରସ ଅପେକ୍ଷା ଅଧିକ ମାରାତ୍ମକ ହୋଇନଥିଲେ ମଧ୍ୟ ଅଧିକ ସଂକ୍ରାମକ ରହିଛି ଅର୍ଥାତ ଏହା ଶୀଘ୍ର ମଣିଷରୁ ମଣିଷଙ୍କ ମଧ୍ୟରେ ବ୍ୟାପିଚାଲିଛି । ଲଣ୍ଡନରେ ଗବେଷକମାନେ ପ୍ରାୟ ୪୦,୦୦୦ କରୋନା ଜିନୋମକୁ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଡି୬୧୪ଜି ଭୁତାଣୁର ସଂକ୍ରମଣ ବେଗ ବେଶ ଅଧିକ ।
ବର୍ତ୍ତମାନ ବିଶ୍ୱରେ ମାଡ଼ିଚାଲିଥିବା କରୋନା ଭାଇରସର ବିଭିନ୍ନ ପ୍ରକାର ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ ଏହି ଡି୬୧୪ଜି ବୋଲି ଜଣାପଡ଼ିଛି । ଚୀନର ଉହାନରୁ ଗତ ବର୍ଷ ଡିସେମ୍ବରରେ ବାହାରିଥିବା କରୋନା ଭାଇରସ ହେଉଛି ଡି-ଟାଇପ । କିନ୍ତୁ ଏବେ ଯେଉଁ ଭାଇରସ ରହିଛି ତାହାର ଅଧିକାଂଶ ଭାଗ ଜି-ଟାଇପ ବୋଲି ବୈଜ୍ଞାନିକମାନେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0