ଭୁବନେଶ୍ବର : ଓଡ଼ିଶାରେ ବାର୍ଡ଼ ଫ୍ଲୁର ଭୟ ନାହିଁ। ଆଜି ଏହି କଥା ସ୍ପଷ୍ଟ କରିଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ଜନସାଧାରଣ ଭୟଭୀତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏକ ପ୍ରେସ ବିବୃତି ଜାରି କରି ବିଭାଗ କହିଛି, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଲୋଆକାଲ ସ୍ବାବ ଓ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ରାଜ୍ୟସ୍ତରରେ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଆଞ୍ଚଳିକ ସ୍ତରରେ ରୋଗ ନିରୀକ୍ଷଣ ପରୀକ୍ଷାଗାର ତଥା ରାଜ୍ୟ ପ୍ରାଣୀରୋଗ ପରୀକ୍ଷାଗାରରେ ନମୁନା ପରୀକ୍ଷଣକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାସ୍ତରରେ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରଗୁଡ଼ିକ ମଧ୍ୟ ପରୀକ୍ଷଣ କରିପାରିବେ। କୋଲକାତା ଠାରେ ଥିବା ଆଞ୍ଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଇଛି। ଏବେ ବହିରାଗତ ପକ୍ଷୀ ଋତୁରେ ଏ ପର୍ୟ୍ୟନ୍ତ ୧୨ ହଜାର ୧୫୮ଟି ନମୁନା ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିଲେ ବି କୌଣସିଟିରେ ଏହି ରୋଗ ପ୍ରକାଶ ପାଇନାହିଁ। ସରକାର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ତତ୍ପର ଅଛନ୍ତି। ନିଜ ଅଞ୍ଚଳର ପକ୍ଷୀମଳ ବିଷୟରେ ନିକଟସ୍ଥ ପ୍ରାଣୀଚିକିତ୍ସକ କିମ୍ବା ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ କିମ୍ବା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ଫୋନ ନମ୍ବର ୦୬୭୧-୨୪୧୪୩୧୦ କିମ୍ବା ହ୍ବାଟସ ଆପ ନମ୍ବର ୭୨୦୫୫୯୮୧୨୫ରେ ସୂଚନା ପ୍ରଦାନ କରିବା ନିମନ୍ତେ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0