ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ରାତି ୧୨ଟା ୩୦ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଶାନ୍ତନୁଙ୍କ ପରଲୋକ ନେଇ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ନିମୋନିଆରେ ପୀଡ଼ିତ ହୋଇ ସେ ଚିକିତ୍ସାଧୀନ ଥିଲେ। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ସୂର୍ୟ୍ୟମୁଖୀ’, ‘ଅରୁନ୍ଧତୀ’, ‘ଚିଲିକା ତୀରେ’, ‘ଡୋରା’ ଫିଲ୍ମର ସେ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ୧୯୩୬ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଶାନ୍ତନୁ। ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ୍ ଜିଓଫିଜିକ୍ସରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସଂଗୀତ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ ଶାନ୍ତନୁ। ସେ ଜଣେ ଗାୟକ ଏବଂ ସଂଗୀତ ନିର୍ଦ୍ଦେଶକ ଭାବେ ନିଜର ପ୍ରତିଭା ଦେଖାଇଥିଲେ। ସେ ଓଡ଼ିଆ ଭାଷା ବ୍ୟତୀତ ବଙ୍ଗାଳୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ପାଇଁ ସେ ଜାତୀୟ ଏବଂ ରାଜ୍ୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିଲେ। ବିଭିନ୍ନ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଶାନ୍ତନୁ ହେଉଛନ୍ତି ପ୍ରଥମ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଯିଏକି ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ, ଆସାମୀ, ତେଲୁଗୁ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0