ଭୁବନେଶ୍ୱର : ଓଡ଼ିଶା ମାଟି କେବଳ ପ୍ରକୃତି ଓ ଐତିହ୍ୟ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିନାହିଁ, ବରଂ ଖାଣ୍ଟି ଓଡ଼ିଆ ଖାଦ୍ୟର ମହକ ପର୍ଯ୍ୟଟକଙ୍କୁ ଟାଣି ଆଣିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ‘ନିମନ୍ତ୍ରଣ’ ରେସ୍ତୋରାଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ୱାଦ ଦେବାକୁ ରେସ୍ତୋରାଁମାନ ଖୋଲାଯିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏହାର ପରିଚାଳନା ଭାର ବହନ କରିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ‘ନିମନ୍ତ୍ରଣ’ର ଶୁଭାରମ୍ଭ ହେବ। ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ନିମନ୍ତ୍ରଣ ସମେତ ଓଡ଼ିଶା ବାହାରେ ଓଡ଼ିଆ ଖାଦ୍ୟର ଉତ୍ସବ ଆୟୋଜନ କରାଯିବ। ପର୍ଯ୍ୟଟନ ବିଭାଗ ଯେଉଁଠାରେ ରୋଡ୍ ସୋ’ କରିବ, ସେଠାରେ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜିତ ହେବ। ପର୍ଯ୍ୟଟନ ସଚିବ ବିଶାଲ ଦେବ ପର୍ଯ୍ୟଟନ ସଂକ୍ରାନ୍ତ ଏକ ୱେବିନାରରେ ଦେଇଥିବା ସୂଚନା ମୁତାବକ, ବମ୍ବେ କ୍ୟାଣ୍ଟିନ୍ ଓଡ଼ିଶାରେ ଓଡ଼ିଶା ଖାଦ୍ୟ ସମ୍ପର୍କିତ ପ୍ରଶିକ୍ଷଣ ପରେ ସେଠାରେ ଏକ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜନ କରାଯିବ। ଏଥିସହ ଦେଶୀୟ ପର୍ଯ୍ୟଟକଙ୍କୁ ପାଇଁ ରାଜ୍ୟର ସମସ୍ତ ମେଟ୍ରୋ ଓ ପ୍ରମୁଖ ସହରରେ ଖାଦ୍ୟ ଉତ୍ସବ କରାଯିବ। ଭାରତ ମଧ୍ୟରେ ଭ୍ରମଣ କରୁଥିବା ୫୦ପ୍ରତିଶତ ଦେଶୀୟ ପର୍ଯ୍ୟଟକ କେବଳ ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶର । ତେଣୁ ସେଇ ରାଜ୍ୟର ଦ୍ୱିତୀୟ ସ୍ତର ଓ ତୃତୀୟସ୍ତରର ସହରମାନଙ୍କରେ ପର୍ଯ୍ୟଟନ ରୋଡ୍ ସୋ’ ଆୟୋଜନ ବେଳେ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ। ଏନେଇ ତାରକା ହୋଟେଲରେ ଓଡ଼ିଆ ସେଫମାନଙ୍କ ସହ ଆଲୋଚନା ହୋଇସାରିଛି। ଏଥିସହ କିଛି ପ୍ରମୁଖ ସହର ଓ ନଗରରେ ପର୍ଯ୍ୟଟନ ବିଭାଗ ‘ଫୁଡ୍ ଅନ୍ ହ୍ୱିଲ୍’ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛି। ପ୍ରଥମେ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ।