ଭୁବନେଶ୍ୱର : ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ସମେତ ଦେଶର ୧୨୨ଟି ସହରର ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ। ଏଥିପାଇଁ ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂ୍ଆଁକୁ ରୋକିବା, ଗାଡ଼ିମଟର ଚଳାଚଳ ଉପରେ କଟକଣା, ବର୍ଜ୍ୟବସ୍ତୁର ସୁପରିଚଳନା, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହ ପରିବେଶ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ସହରଗୁଡ଼ିକରେ ବ୍ୟାପକ ବୃକ୍ଷରୋପଣ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ସୂଚନା ଦେଇଛି।
ବାୟୁ ପ୍ରଦୂଷଣ ରୋକିବା ଲାଗି ବିଏସ୍-୬ ଗାଡ଼ି ପ୍ରଚଳନ, ସିଏନ୍ଜି/ଇ-ଯାନର ବ୍ୟବହାର, ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ବଢ଼ାଯିବା ସହ ରାସ୍ତା ଭିତ୍ତିଭୂମି ବିକାଶ ଦିଗରେ ପଦକ୍ଷେପ ନିଆଯାଇଛି। ଶିଳ୍ପ ସଂସ୍ଥାଗୁଡ଼ିକରେ କ୍ଲିନର ପ୍ରୋସେରର ବ୍ୟବହାର, ଅନ୍ଲାଇନ୍ ମନିଟରିଂ ସିଷ୍ଟମ, ବୈଷୟିକ ଜ୍ଞାନକୌଶଳର ବିକାଶ, ରିନେୱାଲ ଏନର୍ଜିର ବ୍ୟବହାର, ମାଟି ତଳୁ ବାହାରୁଥିବା ପ୍ରାକୃତିକ ଇନ୍ଧନ ବ୍ୟବହାରକୁ କମ୍ କରିବା ଦିଗରେ ବି ପ୍ରାଥମିକତା ଦିଆଯାଉଛି। ପରିବେଶ ତଥା ବାୟୁ ପ୍ରଦୂଷଣ ସମ୍ପର୍କରେ ସହରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା, ବୃକ୍ଷରୋପଣ, ଲୋକଙ୍କୁ କିଭଳି ଅଧିକ ସଂଖ୍ୟାରେ ଯୋଡ଼ାଯାଇପାରିବ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କର୍ମଶାଳା, ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଏଥିସହ ଜଙ୍ଗଲ ନିଆଁକୁ ରୋକିବା, ବର୍ଜ୍ୟବସ୍ତୁ ଜାଳେଣିକୁ ରୋକିବା, ବର୍ଜ୍ୟ ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ, ବିଭିନ୍ନ ପ୍ରକାର ବର୍ଜ୍ୟ ପାଇଁ ସହରରେ ବିଭିନ୍ନ ରଙ୍ଗର ଡଷ୍ଟବିନ୍ ବସାଇବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0