କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୁଲିସ ମହାନିର୍ଦ୍ଦେଶକ ଅଭୟ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୦, ଡିସେମ୍ବର ୧୪ରେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ କାର୍ୟ୍ୟରତ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଡିସେମ୍ବର ୩୧ରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ। ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0