ଭୁବନେଶ୍ବର : ଜାନୁଆରି ମାସରେ ରାଜ୍ୟସାରା ସରକାରୀ ଅଫିସ୍ ସବୁ ଶନିବାର ବନ୍ଦ ରହିବ। ପୂର୍ବ ମାସ ପରି ଜାନୁଆରିରେ ବି ଭୁବନେଶ୍ବର-କଟକରେ ୭୫% କର୍ମଚାରୀରେ ସରକାରୀ ଅଫିସ୍ ଚାଲିବ। ସମସ୍ତ ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ଅଛି ବୋଲି ସରକାର ଦାବି କରୁଥିଲା ବେଳେ ସବୁ ଶନିବାର ସରକାରୀ ଅଫିସ ଛୁଟି ପଛରେ କି ଯୁକ୍ତି ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ ସେବା, ପୌର ସେବା ଆଦି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କାର୍ୟ୍ୟାଳୟଗୁଡ଼ିକ ଶତ ପ୍ରତିଶତ କର୍ମଚାରୀରେ କାର୍ୟ୍ୟ କରିବେ। ସରକାରୀ କାର୍ୟ୍ୟାଳୟଗୁଡ଼ିକରେ ଯେପରି କୋଭିଡ ସଂକ୍ରମଣ ନ ବ୍ୟାପେ, ତାହାକୁ ନଜରରେ ରଖି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରିବା ପାଇଁ କାର୍ୟ୍ୟାଳୟର ମୁଖ୍ୟମାନେ ପଦେକ୍ଷପ ନେବେ। ନୂଆ ବର୍ଷରେ ସରକାରୀ କାର୍ୟ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ନିଜ ସହକର୍ମୀ ଓ ବରିଷ୍ଠମାନଙ୍କୁ ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କୋଭିଡ୍ ସଂକ୍ରମଣ ରୋକିବାକୁ ଶାରୀରିକ ଦୂରତା ନିୟମ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ତାହାକୁ ପାଳନ କରିବାକୁ କର୍ମଚାରୀମାନଙ୍କୁ କୁହାଯାଇଛି। ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଭର୍ଚୁଆଲ୍ ମାଧ୍ୟମକୁ ଆପଣାଇବା ପାଇଁ କୁହାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0