ଭୁବନେଶ୍ୱର: ଆଜିଠାରୁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଠିକ୍ ସକାଳ ୮ଟାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ଟିକେଟ୍ ବିକ୍ରି ଆରମ୍ଭ ହୋଇ ସାରିଛି। ଆଜି ରବିବାର ଛୁଟି ଦିନ ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆଶା କରାଯାଉଛି। ଅନଲାଇନ୍ ଟିକେଟ୍ ବିକ୍ରି ସଂଖ୍ୟା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଜି ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଜଣାପଡ଼ିଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତଭାବେ ବୁଲାଇବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି। ଟିକେଟ୍ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ତଦାରଖ ଲାଗି କର୍ମଚାରୀ ମୁତୟନ ରହିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0