ଭୁବନେଶ୍ୱର: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଯାଇ ପହଁଞ୍ଚିଛି । ତେବେ ଜାନୁଆରି ୧୪ ତାରିଖରେ ପରୀର ମା’ ସୌଦାମିନୀ ସାହୁ ପରୀ ସମେତ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେହିଦିନ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବ୍ରୁଆରି ୨୨ ସୁଦ୍ଧା ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସ୍ଆଇଟି ନୟାଗଡ଼ ଚିଲ୍ଡ୍ରେନ କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି। ହେଲେ ରାଜ୍ୟ ସରକାର ଫେବ୍ରୁଆରି ୨୨ ତାରିଖରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନ ରଖି ଓଲଟା ଆହୁରି ୪ ସପ୍ତାହ ମହଲତ ମାଗିଥିଲେ। ଯେତେବେଳେ ରାଜ୍ୟ ସରକାର ଚିଲଡ୍ରେନ୍ କୋର୍ଟରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚାର୍ଜସିଟ ଦାଖଲ କରିଛନ୍ତି ଏବଂ ତଥ୍ୟ ପ୍ରମାଣ ଦେଇ ତାକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପର୍ୟ୍ୟାପ୍ତ ବୋଲି କହୁଛନ୍ତି ସେତେବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀ ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ଅଟକାଇବା ପାଇଁ ଦେଶର ସବୁଠୁ ଦାମିକିଆ ଓକିଲ ଇ.ସି. ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି।
ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁଙ୍କର ସିଧାସଳଖ ପରୀ ଘଟଣାରେ ସଂପୃକ୍ତି ଆସିବା ପରେ ସରକାର ତାଙ୍କୁ ବଞ୍ଚାଇବା ପାଇଁ ଏଭଳି କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0