spot_img

ରାଜଧାନୀରେ କରୋନା ପରୀକ୍ଷା ପାଇଁ ବଢୁଛି ଆଗ୍ରହ

ଭୁବନେଶ୍ୱର : ଅଗଷ୍ଟ ୯ରେ ଯେତେବେଳେ ବିଭିନ୍ନ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ଆରମ୍ଭ ହେଲା ସେତେବେଳେ ଲୋକ ପରୀକ୍ଷା କରିବାକୁ ଆସୁନଥିଲେ। କିଛି ଦିନ ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମୋଟ୍ ପରୀକ୍ଷା ସଂଖ୍ୟା ଶହେ ଟପିଲାନି। କିନ୍ତୁ ଏବେ ଦିନକୁ ହଜାରେରୁ ଅଧିକ ଲୋକ କରୋନା ପରୀକ୍ଷା କରୁଛନ୍ତି। ଏବେ ସବୁ ଅଞ୍ଚଳରେ ପ୍ରତି ଗଳିକନ୍ଦିରେ କରୋନା ଆକ୍ରାନ୍ତ ବାହାରୁଥିବାରୁ ଏବଂ ସରକାରୀ ସୁବିଧାରେ ମାଗଣାରେ କରୋନା ପରୀକ୍ଷା ହେଉଥିବାରୁ ଲୋକମାନେ ନିଜର ପରୀକ୍ଷା କରିବାକୁ ଆଗ୍ରହ ଦେଖାଉଛନ୍ତି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ୧୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ଏଥିରେ ୧୦୮୬ ଜଣଙ୍କର ନମୁନା ସଂଗ୍ରହ ହୋଇଥିଲା।

ସେହିପରି ସେପ୍ଟେମ୍ବର ୪ରେ ୧୦୨୧ଜଣ, ସେପ୍ଟେମ୍ବର ୩ରେ ୯୪୧ଜଣ, ସେପ୍ଟେମ୍ବର ୨ରେ ୯୮୧ଜଣ, ସେପ୍ଟେମ୍ବର ୧ରେ ୯୭୦ଜଣ ଏବଂ ଅଗଷ୍ଟ ୩୧ରେ ୮୨୨ ଜଣଙ୍କର କରୋନା ଟେଷ୍ଟ ହୋଇଥିଲା। ଏହାବାଦ୍ ନିୟମିତ କ୍ୟାପିଟାଲ ହସ୍ପିଟାଲ, ମୋବାଇଲ୍ ଭ୍ୟାନ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରାଯାଉଛି। ଏବେ ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରୁଛି ବୋଲି କୁହାଯାଇଛି।

୫  ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରୁ ପ୍ରତିବନ୍ଧକ ହଟିଲା
ଗତ ଜୁନ୍ ମାସରୁ ରାଜଧାନୀରେ ୫ଟି ହଟସ୍ପଟ୍ ଜିଲ୍ଲା ଗଞ୍ଜାମ, ଗଜପତି, ବାଲେଶ୍ବର, କଟକ, ଯାଜପୁରରୁ ଆସି ବସ୍ତିରେ ରହୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲାଗିଥିଲା। ବିଏମ୍‌ସି ନିୟମ କରିଥିଲା ଯେ, ଏହି ୫ଟି ଜିଲ୍ଲାରୁ ଲୋକ ବସ୍ତି ଅଞ୍ଚଳକୁ ଆସୁଥିଲେ ପ୍ରଥମେ ୧୪ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯିବ। ଏହାପରେ ବସ୍ତିରେ ରହିବାକୁ ଅନୁମତି ମିଳିବ। ଏହି କଟକଣାକୁ ଏବେ ବିଏମ୍‌ସି ଉଠାଇ ଦେଇଛି। ଏଣିକି ଯିଏ ଯେଉଁଠୁ ଆସିଲେ ବି ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ସେପ୍ଟେମ୍ବର ୧ରୁ ଏହା ଲାଗୁ ହୋଇଛି। ସୂଚନାଯୋଗ୍ୟ ଯେ, ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଯେଉଁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେଥିରୁ ଅଧିକାଂଶ ଏହି ୫ଟି ଜିଲ୍ଲାରୁ ଫେରିଥିବା ଲୋକ ଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସି ବହୁ ଲୋକ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ବିଭିନ୍ନ ହଟସ୍ପଟ୍ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମି ଯାଇଥିବାରୁ ବିଏମ୍‌ସି ପକ୍ଷରୁ କଟକଣା ଉଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular