ଭାରତୀୟ ବାୟୁସେନାରେ ଆଜି ପାଞ୍ଚଟି ରାଫେଲ ବିମାନ ଔପଚାରିକ ଭାବେ ସାମିଲ ହେବ । ଅମ୍ବାଲା ଏୟାରବେସରେ ଏକ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ । ଫ୍ରାନ୍ସରୁ ଆସିଥିବା ପାଞ୍ଚଟି ରାଫେଲ ବିମାନ ଲମ୍ବା ରାଜନୈତିକ ଆଲୋଚନା ପରେ ଭାରତ ଆସିଥିଲା । ଏହା ଦ୍ୱାରା ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ହେବ । ଚାଲନ୍ତୁ ଏହି ରାଫେଲର କ’ଣ ବିଶେଷତ୍ୱ ରହିଛି ଜାଣିବା?
ରାଫେଲ ବିମାନର କମ୍ବ୍ୟାଟ ର୍ୟାଡିୟସ୍ ୩୭୦୦ କିଲୋମିଟର । ଏହା ଭାରତର ଆବଶ୍ୟକତାନୁସାରେ ଦୁଇ ଇଞ୍ଜିନ ବିଶିଷ୍ଟ ବିମାନ । ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜା ଯାଇପାରିବ । ବାୟୁରେ ବାୟୁକୁ ଭେଦ କରୁଥିବା ମିଟିୟୋର ମିସାଇଲ, ଆକାଶମାର୍ଗରୁ ଭୂମିକୁ ଭେଦ କରୁଥିବା ସ୍କାଲ୍ପ ଓ ହେମର ମିସାଇଲ ଏଥିରେ ଖଞ୍ଜାଯାଇପାରିବ । ରାଫେଲ ବିମାନ ଷ୍ଟାର୍ଟ ହେବା କ୍ଷଣି ଉଚ୍ଚକୁ ଯିବା କ୍ଷମତାରେ ଅନ୍ୟ ବିମାନଗୁଡ଼ିକଠାରୁ ଢ଼େର ଆଗରେ । ରାଫେଲ ଉପରକୁ ଉଠିବା ବେଗ ସେକେଣ୍ଡ ପ୍ରତି ୩୦୦ ମିଟର । ଯାହା ଚୀନ ଓ ପାକିସ୍ତାନର ବିମାନଗୁଡ଼ିକୁ ମାତ୍ ଦେବାରେ ସକ୍ଷମ । ରାଫେଲ ୧ ମିନିଟରେ ୧୮ ହଜାର ମିଟର ଉଚ୍ଚତାକୁ ଛୁଇଁପାରିବ । ଯଦି ଲଦାଖ ସୀମା ହିସାବରେ ଦେଖିବା , ତେବେ ଏଥିପାଇଁ ରାଫେଲ ବିମାନ ହିଁ ଫିଟ୍ । ରାଫେଲ ଓମ୍ନି ରୋଲ ଲଢ଼ୁଆ ବିମାନ ଅଟେ । ଏହା ପାହାଡ଼ ଉପରେ କମ୍ ସ୍ଥାନରେ ଓହ୍ଲାଇପାରିବ । ଏହାକୁ ସମୁଦ୍ରରେ ଥିବା ଯୁଦ୍ଧ ପୋତ ଉପରେ ମଧ୍ୟ ଓହ୍ଲାଯାଇପାରିବ । ଗୋଟିଏ ଥର ଇନ୍ଧନ ଭରିବା ପରେ ଏହା ଲଗାତାର ୧୦ ଘଣ୍ଟା ଉଡ଼ାଣ ଭରିପାରିବ । ଏହା ଆକାଶମାର୍ଗରେ ଇନ୍ଧନ ଭରିବାକୁ ସମର୍ଥ । ଯେମିତି ଫ୍ରାନ୍ସରୁ ଆସିବା ସମୟରେ ଏହା କରିଥିଲା । ରାଫେଲରେ ଲାଗିଥିବା ଗନ୍ ଏକ ମିନିଟରେ ୨୫୦୦ ରାଉଣ୍ଡ ଫାୟାର କରିବାକୁ ସମର୍ଥ । ରାଫେଲ ରେ ଥିବା ରାଡାର ୧୦୦ କିମି ଅଞ୍ଚଳରେ ଏକାସହ ୪୦ଟି ଟାର୍ଗେଟ୍ ଚିହ୍ନିବାରେ ସମର୍ଥ । ଭାରତକୁ ମିଳିଥିବା ରାଫେଲ ପ୍ରାୟ ୨୪,୫୦୦ କିଲୋଗ୍ରାମ ଓଜନ ଉଠାଇବାରେ ସମର୍ଥ ହେବା ସହ ଅତିରିକ୍ତ ୬୦ ଘଣ୍ଟା ଉଡାଣ ଭରିପାରିବ । ରାଫେଲରେ ଏବେ ଥିବା ମିସାଇଲ ସିରିୟା, ଲିବିୟା ପରି ସ୍ଥାନରେ ବ୍ୟବହାର ହୋଇସାରିଛି । ଖୁବ୍ ଶୀଘ୍ର ଏଥିରେ ସ୍ପାଇସ୍ ୨୦୦୦କୁ ମଧ୍ୟ ଯୋଡ଼ି ଦିଆଯିବ । ଭାରତୀୟ ସେନାକୁ ବର୍ତ୍ତମାନ ୫ ଟି ବିମାନ ମିଳିଥିବା ବେଳେ ୨୦୨୨ ବେଳକୁ ଏହାର ସଂଖ୍ୟା ବୃଦ୍ଧି ପାଇ ୩୬ରେ ପହଞ୍ଚିବ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0