ପୁରୀ : ମାର୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଶ୍ରୀମନ୍ଦିର ମହଲକ୍ଷ୍ମୀ ମନ୍ଦିର ମରାମତି କାମ। ଫନି ପର ଠାରୁ ଅଚଳ ସିସିଟିଭି ବି ମରାମତି ହେବ। ପିଇବା ପାଣିଠାରୁ ଆରମ୍ଭ କରି ବିଜୁଳି, ପରିଚ୍ଛନ୍ନତାକୁ ବି ଗୁରୁତ୍ବ ଦିଆଯିବ। ସୁବିଧା ଅସୁବିଧାର ଦୈନିକ ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଗଠିତ ୧୦ଜଣିଆ ସ୍ବତନ୍ତ୍ର କମିଟି ଦୈନିକ ଶ୍ରୀମନ୍ଦିର ବୁଲି ଅନୁଧ୍ୟାନ ପରେ ଏହି ତାଲିକା ପ୍ରସ୍ତୁତ କରିବେ। ସେହି ଅନୁଯାୟୀ ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ କରି ଏହାର ସମାଧାନର ବାଟ କଢ଼ାଯିବ। ଆଜି ଶ୍ରୀମନ୍ଦିର କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ସୂଚନା ଦେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ବୈଠକର ମୂଳ ଆଭିମୁଖ୍ୟ ରହିଥିଲା ବିଭିନ୍ନ ବିଭାଗର ସମନ୍ବୟ ଭିତ୍ତିରେ ଶ୍ରୀମନ୍ଦିର ବିକାଶ। ସେହି ଅନୁଯାୟୀ ମାର୍ଚ ପ୍ରଥମ ସପ୍ତାହରୁ ପ୍ରତ୍ନତତ୍ତ୍ବ ବିଭାଗ କାମ ଆରମ୍ଭ କରିବାକୁ ଯାଉଛି। ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ମରାମତି ନେଇ କୌଣସି ନିଷ୍ପତ୍ତି ନିଆଯାଇନି। ବ୍ୟୟ ଅଟକଳ ପରେ ଆବଶ୍ୟକ ମରାମତି ହେବ। ତଥାପି ମରାମତି ଖର୍ଚ୍ଚ ବାବଦ କିଛି ସମସ୍ୟା ରହିଲେ, ପ୍ରତ୍ନତତ୍ତ୍ବ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି ଫନି ପରଠୁ ଅଚଳ ହୋଇ ପଡ଼ିଥିବାରୁ ଏହାର ପୁନରୁଦ୍ଧାର ହେବ। ନୂଆ ସିସିଟିଭି ଲାଗିବ। ପୁଲିସ ହାଉସିଂ କର୍ପୋରେସନ ଏ ବାବଦରେ ଏକ ଖର୍ଚ୍ଚ ଅଟକଳ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ପୁଲିସ ହାଉସିଂ କର୍ପୋରେସନ୍କୁ ଏ ବାବଦରେ ୮୦ ଲକ୍ଷ ଟଙ୍କା ଦେଇସାରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0