ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରର କେନ୍ଦ୍ରସ୍ଥଳୀରେ ଥିବା ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ୟ୍ୟକରଣ କାର୍ୟ୍ୟକୁ ଲୋକାର୍ପିତ କରିଛନ୍ତି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ର ଓ ଲେଜର ଲାଇଟ ଏବଂ ଏକ ସଂଗୀତମୟ ପରିବେଶ ମଧ୍ୟରେ ଏହାର ଉଦଘାଟନ କରାଯାଇଥିଲା। ଭିଡିଓ କନଫରେନସିଂ ଜରିଆରେ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ରାମଲିଙ୍ଗେଶ୍ବର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ଏଥିସହିତ ଏହି ଜଳାଶୟକୁ ପରିଷ୍କାର ରଖିବା ଏବଂ ସୌନ୍ଦର୍ୟ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିବେଦନ କରିଥିଲେ। ରାମଲିଙ୍ଗେଶ୍ବର ଜଳାଶୟ ଓ ପାର୍କ ଆଜି ଗଞ୍ଜାମର ପର୍ୟ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଗଞ୍ଜାମର ଜନତାଙ୍କ ସଂଯମ ଓ ଆତ୍ମଶକ୍ତି ଯୋଗୁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଂଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି ବୋଲି ନବୀନ ଏହି ଅବସରରେ ସ୍ମରଣ କରାଇଥିଲେ। ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ୟ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ବତନ୍ତ୍ର ଗୁରୁତ୍ବ ରଖିଛି। ବ୍ରହ୍ମପୁର ତଥା ଗଞ୍ଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷ୍ଣ ନଜର ରଖିଛି। ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0