ଭୁବନେଶ୍ୱର : ବାଘ ବଂଶ ବୃଦ୍ଧି ପାଇଁ ସତକୋଶିଆ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବ। ତାକୁ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ତେବେ ସେଠାରେ ବାଘୁଣୀକୁ ରଖିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପର୍ଯ୍ୟନ୍ତ ‘ସୁନ୍ଦରୀ’ର ଯତ୍ନ ନେବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏନେଇ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏନେଇ ଶିବରାଜ ଟ୍ୱିଟ୍ କରି ମଧ୍ୟ ଜଣାଇଛନ୍ତି।
୨୦୧୮ ମସିହାରେ ବାଘୁଣୀ ‘ସୁନ୍ଦରୀ’ ଓ ତାହାର ସାଥୀ ବାଘକୁ ନ୍ୟାସନାଲ୍ ଟାଇଗର କଞ୍ଜରଭେସନ୍ ଅଥରିଟି (NTCA) ଓ ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ପ୍ରଦାନ କରିଥିଲେ। ତେବେ ସାତକୋଶିଆରେ ବାଘର ମୃତ୍ୟୁ ଘଟିଥିବା ବେଳେ ‘ସୁନ୍ଦରୀ’ କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାଘୁଣୀ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର ମଧ୍ୟ କଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅସନ୍ତୋଷ ତୀବ୍ରତର ହେବା ପରେ ବନ ବିଭାଗ ‘ସୁନ୍ଦରୀ’କୁ କାବୁ କରି ଅଭୟାରଣ୍ୟର ରାଇଗୋଡ଼ା ଏନ୍କ୍ଲୋଜରେ ରଖିଛି। ବର୍ଷେରୁ ଅଧିକ ସମୟ ଧରି ‘ସୁନ୍ଦରୀ’ ବନ୍ଦୀ ଜୀବନ କାଟୁଛି।
ପରିବେଶବିତଙ୍କ ଅସନ୍ତୋଷ ପରେ ସୁନ୍ଦରୀକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଓଡ଼ିଶା ସରକାର ଓ NTCA ଅନୁରୋଧ କରିଥିଲେ। ଶେଷରେ ମଧ୍ୟପ୍ରଦେଶ ସରକାର ଏହାର ଜବାବ ଦେଇଛନ୍ତି। ‘ସୁନ୍ଦରୀ’କୁ ଫେରାଇ ନେବା ପାଇଁ ରାଜି ହୋଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0