କୋଲକାତା: କୋଲକାତାରେ ରୋଡ ସୋ’ କରୁଥିବା ବେଳେ ବିଜେପି ନେତା କୈଲାଶ ବିଜୟବର୍ଗିୟାଙ୍କ ଗାଡ଼ିକୁ ଜୋତା ମାଡ଼। ଏହା ପୂର୍ବରୁ ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବା ବିଜେପି ନେତା ଜେପି ନଡ୍ଡା ଏବଂ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର ସରକାର ତୀବ୍ର ନିନ୍ଦା କରିଥିବା ବେଳେ ଏବେ ପୁଣି ଥରେ ସେଭଳି ଘଟଣା ଘଟିଛି। ସୂଚନା ମୁତାବକ, କୋଲକାତା ପୁଲିସ ଦଳକୁ ରୋଡ ସୋ’ ପାଇଁ ଅନୁମତି ନଦେବା ପରେ ମଧ୍ୟ ଦକ୍ଷିଣ କୋଲକାତାରେ ବିଜେପି ରୋଡ ସୋ’ର ଆୟୋଜନ କରିଥିଲା। କୋଲକାତା ଜୋନ ପର୍ୟ୍ୟବେକ୍ଷକ ତଥା ପୂର୍ବତନ ନଗରପାଳ ସୋଭାନ ଚାଟାର୍ଜୀଙ୍କୁ ନୂଆ ପଦବୀ ମିଳିବା ଖୁସିରେ ଏହି ରୋଡ ସୋ’ କରୁଥିଲା ବିଜେପି। କିନ୍ତୁ ବିରୋଧୀମାନେ ଏହି ରୋଡ ସୋ’ରେ ବିଜେପି ନେତା କୈଲାଶ ବିଜୟବର୍ଗିୟାଙ୍କ ଗାଡ଼ିକୁ ଜୋତା ମାଡ଼ କରିଥିଲେ। ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ହୋଇଥିବା ଆକ୍ରମଣ ପାଇଁ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତିନିଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବା ପାଇଁ ସମନ କରିଥିଲା ଗୃହ ମନ୍ତ୍ରାଳୟ, ଯାହାକୁ ବିରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ଘଟଣାକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ଏବେ ପୁଣି ଥରେ ବିଜେପି ନେତାଙ୍କ ଗାଡ଼ି ଉପରକୁ ଜୋତା ଫିଙ୍ଗାଯିବା ଘଟଣା ବିବାଦକୁ ଆହୁରି ବଢ଼ାଇଛି।



Visitors Today : 2
Total Visitors : 130441
Total Views : 9891974
Visitors Online Now : 0