ପୁରୀ : ନୂଆ କର୍ମକର୍ତ୍ତା ଚୟନକୁ କେନ୍ଦ୍ରକରି ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ଫାଟ ସୃଷ୍ଟି ହୋଇଛି। କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ ଥିବା ଛାତ୍ର ବିଜେଡିର ୬ଜଣ ନେତା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଛାତ୍ର ନେତାମାନେ ଇସ୍ତଫା ପତ୍ର ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି। ହୋଟେଲ ଜୟ ହୋ’ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ପୂର୍ବତନ କାର୍ୟ୍ୟକାରୀ ସଭାପତି ହରେକୃଷ୍ଣ ସୁଆର ଇସ୍ତଫା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ‘ବିଜୁ ଛାତ୍ର ଜନତା ଦଳ ପାଇଁ ନିଃସ୍ବାର୍ଥପର ଭାବେ ଆମେ ଅନେକ ବର୍ଷ ଧରି କାମ କରି ଆସୁଛୁ। ମୁଁ ବି ୨୦୧୧ ମସିହାରୁ ସଂଗଠନ ପାଇଁ କାମ କରି ଆସିଛି ଓ ଦଳୀୟ ସଂଗଠନକୁ ସୁଦୃଢ଼ କରିଛି। ୨୦୧୭ ମସିହାରୁ ଆଜି ପର୍ୟ୍ୟନ୍ତ କାର୍ୟ୍ୟକାରୀ ସଭାପତି ଦାୟିତ୍ବ ତୁଲାଇ ଆସୁଥିଲି।’ ମାତ୍ର, ଆଜି ବିଜୁ ଛାତ୍ର ଜନତା ଦଳର ନୂଆ ସଂଗଠନ ଗଠନ କରାଯାଇଛି, ଯେଉଁଥିରେ ଜଣେ ନୂଆ ଛାତ୍ରଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ଯାହାଙ୍କର ନିର୍ବାଚନ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ। ଏଥିପାଇଁ ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦପଦବୀରୁ ଆମେ ଇସ୍ତଫା ଦେଇଛୁ ବୋଲି ଶ୍ରୀ ସୁଆର କହିଛନ୍ତି। ଶ୍ରୀ ସୁଆରଙ୍କ ସମେତ ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଦୀପକ କୁମାର ପଣ୍ଡା, ଉପସଭାପତି ସାଗର ପାତ୍ର, ନଗର ଛାତ୍ର ବିଜେଡିର ସଭାପତି ରାଜେଶ କୁମାର ରଣା, ସାଧାରଣ ସଂପାଦକ ଶ୍ରୀନିବାସ ମିଶ୍ର, ଜୋନାଲ୍ ସଂପାଦକ ଭବାନୀ ଶଙ୍କର ମହାରଣା ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0