ଭୁବନେଶ୍ୱର: ଏଣିକି ରାଜଧାନୀର ପ୍ରତି ଘର ପାଇଁ ମିଳିବ ଗୋଟିଏ ସ୍ୱତନ୍ତ୍ର ନମ୍ବର । ଘର ନମ୍ବରରୁ ମିଳିଯିବ ସମସ୍ତ ତଥ୍ୟ । ଲୋକଙ୍କ ଠିକଣାକୁ ନେଇ ଆଉ ରହିବନି କୌଣସି ଦ୍ୱନ୍ଦ୍ୱ । ଠିକଣା ଖୋଜିବାକୁ ବି ହେବନି ଅସୁବିଧା। ରାଜଧାନୀବାସୀଙ୍କୁ ଏକ ସ୍ମାର୍ଟ ଆଡ୍ରେସ ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଏମସି। ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ ଡୋର ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ହେବା ପରେ କେବଳ ଅଞ୍ଚଳର କୋଡ, ଘର ନମ୍ବର ଏହାସହ ଷ୍ଟ୍ରିଟ ନମ୍ବର ଲେଖା ରହିବ । ବିଏମସି ପକ୍ଷରୁ ଏଥିପାଇଁ ଦିଆଯିବାକୁ ଥିବା କାର୍ଡରେ ବାରକୋଡ ବି ରହିବ। ପରୀକ୍ଷାମୂଳକ ଭାବେ ଗତକାଲିଠୁ ସର୍ଭେ ଆରମ୍ଭ ହୋଇଛି। ଫେବୃଆରୀ ୧୩ରୁ ପୁରା ଭୁବନେଶ୍ୱରରେ ଡିଜିଟାଲ ଡୋର ନମ୍ବରିଂ ପାଇଁ ସର୍ଭେ କରାଯିବ । ପ୍ରାୟ ୩ ମାସ ପର୍ୟ୍ୟନ୍ତ ଏହି ସର୍ଭେ ହେବାକୁ ଲକ୍ଷ୍ୟ ରଖାଯାଇଛି। ହେଲେ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଅଧା ରାଜଧାନୀକୁ ଏଥିସହ ଯୋଡ଼ାଯିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। କିଛି ଦିନ ପୂର୍ବେ ହାଇଦ୍ରାବାଦର ନବଯୁଗ ସ୍ପେସିଆଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସହ ବିଏମସି ୩ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛି। କରୋନା ଯୋଗୁ କାମ ଆରମ୍ଭରେ ବିଳମ୍ବ ହେଲା। ପରୀକ୍ଷାମୂଳକ ଭାବେ ଗତକାଲି ୬,୨୩ ଓ ୩୦ ନମ୍ବର ୱାର୍ଡରେ ଡିଜିଟାଲ ଡୋର ନମ୍ବରିଂ ସିଷ୍ଟମ ଆରମ୍ଭ ହୋଇଛି। ଏଥିରେ ୧୦୦ ଯୁବକ ନିୟୋଜିତ ହୋଇଥିବା ବେଳେ ଗତକାଲି ୬୦ରୁ ଅଧିକ ଘରେ ଷ୍ଟିକର ଲଗାଯାଇଛି। ସେମାନେ ଘର ମାଲିକଙ୍କ ପାଖରୁ ନାଁ, ଫୋନ ନମ୍ବର, ଷ୍ଟ୍ରିଟ ନମ୍ବର, ପିନ୍ କୋର୍ଡ, ଆଧାର ନମ୍ବର ସଂଗ୍ରହ କରୁଛନ୍ତି। ଏହାପରେ ବିଏମସି ପକ୍ଷରୁ ୧୩ ଟିକିଆ ନମ୍ବର ସେମାନଙ୍କୁ ଦିଆଯାଉଛି। ପ୍ରତି ୱାର୍ଡ ପାଇଁ ସ୍ୱତନ୍ତ୍ର ନମ୍ବର ରହିଛି। ଗୁଗଲ ସହ ଏହି ନମ୍ବରକୁ ଲିଙ୍କ କରାଯିବ। ଏହା ଆଧାର କାର୍ଡ ଭଳି କାମ କରିବ। ଗୁଗଲରେ ଲୋକଙ୍କ ନାମ ସର୍ଚ୍ଚ କଲେ, କେବଳ ଷ୍ଟ୍ରିଟ ବା ଲେନ ନମ୍ବର ଦେଲେ ଘର ଠିକଣା ମିଳିଯିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0