spot_img

ଖେଳ ରାଜନୀତି ,ଫୁଲ ମଉଳିବ ନା ଶଙ୍ଖ ବାଜିବ…?

ଭୁବନେଶ୍ୱର (ଚନ୍ଦନ ପଣ୍ଡା) : ରାଜନୀତିର ବିଜୟ ଓ ପରାଜୟ ଏକ ସ୍ୱାଭାବିକ ପ୍ରକ୍ରିୟା |କେତେବେଳେ ଉଥାନ ତ ପୁଣି କେତେବେଳେ ପତନ | କିନ୍ତୁ ୨୦ ବର୍ଷ ନିରଙ୍କୁଶ ଶାସନକଳର ମୁଖିଆଙ୍କୁ ସତେ ଯେମିତି ଏବେ ଭୟ ଘାରିଛି | ଆଉ କୌଣସି ଭୟ ନୁହେଁ ନିର୍ବାଚନ ପରାଜୟର ଭୟ | ଆପଣମାନେ ଭାବୁଥିବେ ଏବେତ କୌଣସି ନିର୍ବାଚନ ନାହିଁ ଏ ପରାଜୟର ଶବ୍ଦ ଆସିଲା କେଉଁଠୁ ? ଏବେ ଏ ପ୍ରସଙ୍ଗର ଏତେ ପ୍ରାସଙ୍ଗିକତା ଓ ଚର୍ଚ୍ଚା କାହିଁକି ? ଏସବୁ ର ଉତ୍ତର ହେଲା ନିକଟରେ ଦୁଇଟି ସଂସ୍ଥା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଛି ବୋଲି ଆକଳନ କରିଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ ବୋଲି ସେହି ସମାନ ସଂସ୍ଥା ଆକଳନ କରିଛି । ଯୁବ, ଛାତ୍ର ବିଜେପି ଆଡକୁ ଅଧିକ ଢଳୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି କିଛି ଆଭାସ ମିଳିବା ପରେ ବିଜେଡି ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଏବେ ବିଜୁ ଜନତା ଦଳ ରାଜ୍ୟ ବ୍ୟାପି କ୍ରିକେଟ ଓ ଫୁଟ୍ ବଲ ମ୍ୟାଚ ଅନୁଷ୍ଠିତ କରିବାକୁ ଯୋଜନା କରୁଛି | ଯୁବ-ଛାତ୍ର ମତଦାତାଙ୍କୁ ନିଜ ପକ୍ଷକୁ ନେବାକୁ ଆପ୍ରାଣ ଚେଷ୍ଟା କରୁଛି ବିଜେଡି | ଯାହାର ସଦ୍ୟ ଉଦାହରଣ ମୟୁରଭଞ୍ଜ ପ୍ରିମିୟର ଲିଗ୍ |

ଏଠାରୁ ଖେଳ ରାଜନୀତି ମୂଳଦୁଆ ପଡିଛି ବୋଲି ଆମେ କହି ପରିବା | ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ସେମାନଙ୍କୁ କିଭଳି ଆକର୍ଷିତ କରିହେବ ସେଥି ପାଇଁ ନୂଆ ଋଣକୌଶଳ “କ୍ରୀଡା ରାଜନୀତି “କୁ ଆପଣାଇଛି ବିଜୁ ଜନତା ଦଳ |ଯାହା ସାଧାରଣରେ ବେଶ ଚର୍ଚ୍ଚା ହେଉଛି | ଖେଳ ପ୍ରତି ଯୁବ ଓ ଛାତ୍ରଙ୍କର ସଂପୃକ୍ତି ଅଧିକ ଥିବା କାରଣରୁ ଏବେ ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେଇଛି ଖେଳ ରାଜନୀତିରେ ପଶିବ । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇ ଅତ୍ୟନ୍ତ ଚତୁରତାର ସହ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି ବିଜୁ ଜନତା ଦଳ । ଅର୍ଥାତ୍, ପ୍ରତି ଜିଲ୍ଲାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ଫୁଟବଲ୍‌ ଆରମ୍ଭ ହେବ । ଏହାକୁ ଏଭଳି କହିପାରିବା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ମୁଖ୍ୟମନ୍ତ୍ରୀ ନବୀନଙ୍କ ନିମନ୍ତେ ସତର୍କ ଘଣ୍ଟି ହୋଇ ଠିଆ ହୋଇଛି । ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶା ଓ ମୟୁରଭଞ୍ଜ ଜିଲାରେ ବିଜେଡିର ଭୋଟ ହାର କମିଥିଲା | ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଭାଜପା ହାତକୁ ଯାଇଥିଲା | ପୁଣି ୨୦୧୯ ସାଧାରଣ ନିର୍ବାଚନରେ ସାଧାରଣ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଲୋକସଭା ଆସନ ସହିତ ୯ ବିଧାନସଭା ଆସନରୁ ୬ଟି ଆସନ ଭାରତୀୟ ଜନତା ପାର୍ଟି ହାତକୁ ଟେକି ଦେଇଥିଲେ । ମାତ୍ର ୩ ଟି ଥିଲା ବିଜେଡି ଭାଗରେ | କୁହାଯାଏ ବିଶେଷ କରି ଯୁବ ଗୋଷ୍ଠୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଅନୁପ୍ରାଣୀତ ହୋଇ ବିଜେପି ମୁହାଁ ହୋଇଥିବାରୁ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଏଣୁ ମୟୂରଭଞ୍ଜରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ଖେଳ ଆରମ୍ଭ କରିଛି ବିଜେଡି । ଆଗାମୀ ପଂଚାୟତ ଓ ପୋୖରନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଆରମ୍ଭ କରିଛି ଖେଳ ରାଜନୀତି। ଏଥିପାଇଁ ବାରିପଦା ସହରରେ ଏକ ସାମ୍ବାଦିକ ସମମ୍ମିଳନୀ ମାଧ୍ୟମରେ ବିଧିବଧ ଭାବେ ଦଳ ପକ୍ଷରୁ ମୟୁରଭଞ୍ଜ ପ୍ରିମିୟର ଲିଗ୍ (ଏମ୍ .ପି .ଏଲ ) କ୍ରୀଡ଼ା ପ୍ରତିଯୋଗିତାର ଲୋଗୋ ଓ ଜର୍ସି ଉନ୍ମୋଚନ କରାଯାଇଛି। ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି କରିଛନ୍ତି ଏଣିକି ଖେଳକୁ ରାଜନୈତିକ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବଂର ଶାସକ ଦଳ କରିବ ।

ପ୍ରାପ୍ତ ସୂଚନା ଅନୁଯାୟୀ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଂଜ ପ୍ରିମିୟର ଲିଗରୁ ଏହି ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ପ୍ରତି ଜିଲ୍ଲା , ନିର୍ବାଚନ ମଣ୍ଡଳୀ ,ବ୍ଲକ ,ପଞ୍ଚାୟତ ଓ ଗାଁ ,ଗାଁ ରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଂଟ କରି ଯୁବକ ମାନଙ୍କୁ ବାନ୍ଧି ରଖିବ ବିଜୁ ଜନତା ଦଳ । ସାଧାରଣରେ ଗୋଟିଏ ଚର୍ଚ୍ଚା ହେଉଛି ନିକଟରେ ମୟୁରଭଞ୍ଜରେ ହୋଇଥିବା ଜିଲ୍ଲା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ରେ ବିଜୁ ବାବୁଙ୍କ ଫଟୋ ଲଗାଯିବାକୁ ନେଇ ବିରୋଧ କରିଥିଲା ଭାରତୀୟ ଜନତା ପାର୍ଟି , ଏହାକୁ ଆଳ କରି ଏହା ବିଜୁ ବାବୁଙ୍କ ପ୍ରତି ଅପମାନ କହି ବିଜେଡି ଜିଲ୍ଲାସାରା ଆନ୍ଦୋଳନ ଚଳାଇଲା ,କିନ୍ତୁ ବିଶେଷ ଫଳପ୍ରଦ ହେଲାନି ,ସେଥିପାଇଁ କ୍ରିକେଟ ଓ ଫୁଟବଲ କୁ ଅସ୍ତ୍ର କରିଛି ବିଜେଡି | ଆଗରୁ ଚାରା ଦୁର୍ନୀତି ,ଆଦିବାସୀଙ୍କୁ ପ୍ରତାରଣା ଓ ମନରେଗା ଦୁର୍ନୀତି ଭଳି ଅନେକ ଅଭିଯୋଗ ମୟୁରଭଞ୍ଜର ରହିଛି | ତଥ୍ୟ ଅନୁସାରେ ସର୍ବାଧିକ ବେକାରୀ ମଧ୍ୟ ମୟୁରଭଞ୍ଜ ରେ | କାମ ଦାମ ନପାଇ ଅନେକ ବାହାରକୁ ପଳାଇ ଯାଉଛନ୍ତି | ଯାହା ଫଳରେ ଶାସକ ଦଳ ଉପରେ ମୟୁରଭଞ୍ଜବାସୀ ଵିତସ୍ପୃହ ବୋଲି କହି ପାରିବା | ଅନ୍ୟ ଦିଗରେ ମୋଦି ସରକାର ମୟୁରଭଞ୍ଜ ର ଅନେକ ଆଦିବାସୀ ବ୍ୟକ୍ତିତ୍ୱଙ୍କୁ ଉଚିତ ସମ୍ମାନ ଦେଇଥିବାରୁ ମୋଦି ମାନିଆରେ ମତ ଅଜାଡି ଦେଉଛନ୍ତି ମୟୁରଭଞ୍ଜବାସୀ | ତେବେ ଏସବୁକୁ ପ୍ରତିହତ କରି ଫୁଲ କୁ ମଉଳାଇ ଶଙ୍ଖନାଦ କରିବାକୁ ସେନା ସାଜିଛନ୍ତି ଯାଜପୁର ବିଧାୟକ ତଥା ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ବବି ବାବୁ |ଏହା କେତେ ସଫଳ ଓ ବିଫଳ ହେବ ତାହା ତ ସମୟ କହିବ | ଶୁଦ୍ଧି ପାଠକ / ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହୁଁ ଖେଳ ଆମ ମନ ଓ ଶରୀରକୁ ଫୁର୍ତ୍ତି କରେ |ସୁସ୍ଥ ଓ ନିରୋଗ ରଖେ | ରକ୍ତ ସଂଚାଳନକୁ ଅଧିକ କ୍ରିୟାଶୀଳ କରିବାକୁ ସହଯୋଗ କରେ |ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ | ଉଦ୍ଧେଶ୍ୟଟି ମହତ ହୋଇପାରେ କିମ୍ୱା ରାଜନୀତିକ ଫାଇଦା ପାଇଁ ବ୍ୟବହାର ହେଉ ଥାଇ ପରେ | କିନ୍ତୁ ଏଠାର ପ୍ରଶ୍ନ ଉଠୁଛି ୨୦ ବର୍ଷ ଭିତରେ ଏଭଳି ଚିନ୍ତା କରୁନଥିଲେ ଏବେ ହଠାତ କାହିଁକି ଖେଳ କଥା ମାନେ ପକେଇଲେ ? କୌଣସି ବୃହତ୍ତର ଲକ୍ଷ ବା ଇଚ୍ଛା ନନେଇ ଏଭଳି କାର୍ଯ୍ୟକ୍ରମ ହେଉଛି ତାହା ଭାବିବା ଭୁଲ ହୋଇପାରେ ? ଶେଷରେ ଏତିକି ଖେଳ ରାଜନୀତିର ପଶାପାଲିରେ ଲୁଡୁଗୋଟି ନସାଜନ୍ତୁ ଯୁବ ପିଢ଼ି | ଖେଳ ନାମରେ ନିଯୁକ୍ତି କୁ ଅଣ ଦେଖା କରାନଯାଉ | ବେକାର ଯୁବକ ଯୁବତୀ ଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବାକୁ ଚିନ୍ତା କରନ୍ତୁ ସରକାର | ତେବେ ଫୁଲ ମଉଳିବ ନା ଶଙ୍ଖ ବାଜିବ ତାହା ତ ମତଦାତାଙ୍କ ଉପରେ ନିର୍ଭରକରେ | କିନ୍ତୁ ଖେଳ ନାମରେ ରାଜନୀତିକରଣ ଶାସନତନ୍ତ୍ର ରେ ସୁଲକ୍ଷଣ ନା ବିଲକ୍ଷଣ ତାହା ଆପଣମାନେ ବିଚାର କରିବେ …….

LEAVE A REPLY

Please enter your comment!
Please enter your name here

- Advertisment -

Most Popular