ଭୁବନେଶ୍ବର: ଅନନ୍ୟ ଲୋକ ଓ ଜନଜାତି ଚିତ୍ରକଳାକୁ ନେଇ ବରକୁଲସ୍ଥିତ ଓଡିଆର୍ଟ କମ୍ପ୍ଲେକ୍ସ ପରିସରରେ ଥିବା ପୂର୍ବାଶା ଫୋକ ଆଣ୍ଡ ଟ୍ରାଇବାଲ ମ୍ୟୁଜିୟମରେ ଚିଲିକା କଳା ଅଭୟାରଣ୍ୟ ଉଦଘାଟିତ ହୋଇଛି। ‘ସୋସାଇଟି ଫର ଡେଭଲପମେଣ୍ଟ ଅଫ ରୁରାଲ ଲିଟରେଚର’ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ‘ମାନବ, ପଶୁ, ବୃକ୍ଷ ଓ ଭଗବାନଙ୍କ ମଧ୍ୟରେ ଥିବା ସହଜୀବୀ ସମ୍ପର୍କ’ ବିଷୟବସ୍ତୁ ଆଧାରରେ ୧୦୦ରୁ ଅଧିକ ଚିତ୍ର ପ୍ରଦର୍ଶିତ ହୋଇଛି। ଭାରତ ସମେତ ଦକ୍ଷିଣ କୋରିଆ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଁମାରରୁ ୫୦ରୁ ଅଧିକ ଶିଳ୍ପୀ ଅଂଶଗ୍ରହଣ କରି ଚିତ୍ରକଳା ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ଜନଗଡ଼ ସିଂହ ଶ୍ୟାମଙ୍କର ୩୦ଟି ବିରଳ ଚିତ୍ର ମଧ୍ୟ ସ୍ଥାନିତ ହୋଇଛି। ପର୍ୟ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ ମୋଡରେ ଏହାକୁ ଉଦଘାଟନ କରିଥିଲେ। ଦକ୍ଷିଣ କୋରିଆର ଲୋକ ସାହିତ୍ୟ ଲେଖକ ଇନସାଙ୍ଗ ସଙ୍ଗ, ଓଡିଆର୍ଟ କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ପି.କେ ଦାଶ, ପୂର୍ବାଶା ଫୋକ ଆଣ୍ଡ ଟ୍ରାଇବାଲ ଆର୍ଟ ମ୍ୟୁଜିୟମର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ପ୍ରମୁଖ ଭର୍ଚୁଆଲ ଉଦଘାଟନରେ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ। ଗୁରୁବାରଠାରୁ ମାସେ ପର୍ୟ୍ୟନ୍ତ ଲୋକେ ଏହି କଳା ପ୍ରଦର୍ଶନର ସୁଯୋଗ ପାଇପାରିବେ। ଏହି ଅବସରରେ ‘ଲୋକ ଚିତ୍ର ଓ ସମସାମୟିକ ସ୍ଥିତିରେ ଏହାର ପ୍ରାସଙ୍ଗିକତା’ ବାବଦରେ ଆଲୋଚନା ହୋଇଥିଲା। କଳା ଐତିହାସିକ ଡ.ରାଜଶ୍ରୀ ବିଶ୍ବାଳ ପାଣି, ଏସ ଟାଗୋର, ବ୍ରିଟିସ କାଉନସିଲ ଇଣ୍ଡିଆର ଆର୍ଟ ଆଣ୍ଡ କଲଚରର ପୂର୍ବତନ ମୁଖ୍ୟ ସୁଷମା ବହଲ, ପରିବେଶବିତ ପଦ୍ମଶ୍ରୀ ବୁଲୁ ଇମାମ ପ୍ରମୁଖ ପ୍ରସଙ୍ଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆସନ୍ତା ୧୨ ତାରିଖରୁ ଟେରାକୋଟା, ବ୍ଲୁ ପଟେରି, ସେରାମିକ୍ସ, ପଟ୍ଟା ଓ ସଉରା କର୍ମଶାଳା ଅନୁଷ୍ଠିତ ହେବ। ‘ସଙ୍ଗମ’ ଶୀର୍ଷକ ଏହି ସପ୍ତାହବ୍ୟାପୀ କର୍ମଶାଳାରେ ଜୟପୁର, ମୁମ୍ବାଇ, କୋଲକାତା, ଭୋପାଳ ଓ ଓଡ଼ିଶାର ୧୬ ଶିଳ୍ପୀ ଅଂଶଗ୍ରହଣ କରି କଳାର ଆଦାନପ୍ରଦାନ କରିବେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0