କରୋନା ସଂକ୍ରମଣରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନ୍ସ (ଡିଏଲ)ର ଅବଧିକୁ ଫେବ୍ରୁଆରି ୨୦୨୦ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନ୍ସ ଅବଧିକୁ ଦୀର୍ଘ ୨୦ ମାସ ଧରି ଘୁଞ୍ଚାଇ ଚାଲିଛନ୍ତି। ଗତବର୍ଷ ଫେବୁଆରି ମାସରୁ ଗାଡି ଫିଟନେସ୍, ପରମିଟ୍, ରେଜିଷ୍ଟ୍ରେସନ ସାର୍ଟିଫିକେଟରୁ ଆରମ୍ଭ କରି ଲର୍ଣ୍ଣିଂ ଲାଇସେନ୍ସର ଅବଧି ବଢିଛି। ତେବେ ଲର୍ଣ୍ଣିଂ ଲାଇସେନ୍ସଧାରୀଙ୍କ ପାଇଁ ସ୍ଳଟ୍ ବୁକିଂ କରିବା ଏକ ମୁଖ୍ୟ ସମସ୍ୟା ହେଉଛି। ବିଭାଗ ପକ୍ଷରୁ ସ୍ଲଟ୍ ବୁକିଂ କରିବାକୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଇଟ୍ ଖୋଲିବାର ନିୟମ ରହିଛି। ହେଲେ ସ୍ଲଟ୍ ବୁକିଂ ପାଇଁ ମାତ୍ର ଗୋଟିଏ ମିନିଟ ପାଇଁ ସାଇଟ୍ ଖୋଲୁଛି। ଗୋଟିଏ ମିନିଟରେ ୨୦ରୁ ୩୦ଜଣ ବୁକିଂ କରିବା ପରେ ସାଇଟ୍ ବନ୍ଦ ହୋଇଯାଉଛି। ଏଭଳି ସ୍ଥିତିରେ ଲୋକେ ସ୍ଲଟ୍ ବୁକିଂ କରି ପାରୁ ନଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରୁ ନାହାନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ଦିନେ ଛାଡ଼ି ଦିନେ ସ୍ଲଟ୍ ବୁକିଂ ସାଇଟ୍ ଖୋଲୁଥିବାରୁ ଏହି ସମସ୍ୟା ଅଧିକ ଗୁରୁତର ହେଉଛି। କଟକ ଆର୍ଟିଓରେ ଏବେ ୬ ହଜାର ୫୧୬ଜଣ ଲର୍ଣ୍ଣିଂ ଲାଇସେନ୍ଧାରୀ ଅଛନ୍ତି। ଆସନ୍ତା ନଭେମ୍ବର ୧ ତାରିଖରେ ଏହି ଅବଧି ଶେଷ ହେଉଥିବା ବେଳେ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍ଟିଓ)ରେ ୬ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ନପାଇ ଅପେକ୍ଷାରେ ଅଛନ୍ତି। ବିଭାଗ ପକ୍ଷରୁ ପ୍ରତିଦିନ ଶହେରୁ ଦେଢ ଶହ ସ୍ଲଟ୍ ଦିଆଯାଉଥିବା କୁହାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0