ନୂଆଦିଲ୍ଲୀ : ଋଷିଆ ଓ ୟୁକ୍ରେନ ସଂକଟକୁ ନେଇ ଭାରତ କାହିଁକି ଚିନ୍ତିତ ? ପାଶ୍ଚାତ୍ୟ ଦେଶଙ୍କ ବାରଣ ସତ୍ତ୍ବେ ଋଷିଆ ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାହା ଏକ ବଡ଼ ଯୁଦ୍ଧର ରୂପ ନେବ ଓ ସମଗ୍ର ୟୁରୋପରୁ ବ୍ୟାପିବାର ଆଶଙ୍କା ରହିଛି । ଏଣୁ ଏହି ସଂକଟ ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଛି । ତେବେ ଏହି ଯୁଦ୍ଧ ହେଲେ ଭାରତ କିପରି ଭାବେ ପ୍ରଭାବିତ ହେବ ?ସାମରିକ ବିଶେଷଜ୍ଞଙ୍କ ମତରେ ୟୁକ୍ରେନ ସଂକଟ ଭାରତ ପାଇଁ ଏକ ଧର୍ମସଂକଟଠାରୁ କମ ନୁହେଁ । କାରଣ ଭାରତ ପାଇଁ ଗୋଟିଏ ପଟେ କୂଅ ଥିବାବେଳେ ଅନ୍ୟପଟେ ଖାଇ ରହିଛି । ସାମରିକ ସାମଗ୍ରୀ ପାଇଁ ଭାରତ ଋଷ ଉପରେ ସର୍ବାଧିକ ନିର୍ଭରଶୀଳ । ଭାରତୀୟ ସାମରିକ ଯନ୍ତ୍ରପାତିର ପ୍ରାୟ ୬୦ ପ୍ରତିଶତ ଋଷନିର୍ମିତ । ଅନ୍ୟପଟେ କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ଉପକରଣ ( ଯେପରିକି ଡ୍ରୋନ, ଗୁଇନ୍ଦା ବିମାନ, ଶୀତବସ୍ତ୍ର, ଲଢୁଆ ବିମାନ) ପାଇଁ ଭାରତ ଆମେରିକା ଓ ୟୁରୋପୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ଏଣୁ ଏହି ଯୁଦ୍ଧରେ ଭାରତ ଗୋଟିଏ ପକ୍ଷଭୁକ୍ତ ହେବା ସହଜ ନୁହେଁ ।ପାଶ୍ଚାତ୍ୟ ଦେଶ ଯଦି ଋଷିଆ ଉପରେ କଟକଣା ଲଗାନ୍ତି ତେବେ ତେଲ, ଗ୍ୟାସ ସମେତ ନିଜର ବିଭିନ୍ନ ସାମଗ୍ରୀର ରପ୍ତାନି ପାଇଁ ଋଷିଆ ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇଯିବ । ଚୀନ କଥାରେ ପଡ଼ି ଯଦି ଋଷିଆ ଭାରତକୁ ସାମରିକ ରପ୍ତାନି ଅଟକାଇ ଦିଏ, ତେବେ ଭାରତ ପାଇଁ ପରିସ୍ଥିତି ଜଟିଳ ହୋଇଯିବ ।ଅନ୍ୟପକ୍ଷରେ ଏହି ଯୁଦ୍ଧ ହେଲେ ଋଷିଆରୁ ୟୁରୋପକୁ ତେଲ ଓ ଗ୍ୟାସ ରପ୍ତାନି ବନ୍ଦ ହୋଇଯିବ । ଏହା ଫଳରେ ବିଶ୍ବରେ ତେଲ ଅଭାବ ଦେଖାଯିବ ଓ ତେଲ ଦର ଆହୁରି ବୃଦ୍ଧି ପାଇବ । ଏହା ଭାରତ ପାଇଁ ପରିସ୍ଥିତିକୁ ଜଟିଳ କରିବ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0