ଭୁବନେଶ୍ୱର(ଚନ୍ଦନ ପଣ୍ଡା) : ଦୁଇଦଶନ୍ଧିର ସଫଳ ଯାତ୍ରା ଓ ଏ ଯାତ୍ରା ର ଅଦ୍ୱିତୀୟ,ଅପ୍ରତିଦ୍ୱନ୍ଦୀ ନାୟକ ନବୀନ ବାବୁ କ୍ଷମତା ଜାବୁଡି ଧରିବାରେ ବେଶ ସିଦ୍ଧହସ୍ତ |ସବୁ ଅସନ୍ତୋଷ ଓ କନ୍ଦଳକୁ ପ୍ରଶମିତ କରି କେମିତି ଆୟତ କରାଯାଏ ସେ ବାଟ ଭଲ ରକମ ଜଣା ନଵୀନ ବାବୁ ଓ ତାଙ୍କର ପ୍ରମୁଖ ସହଯୋଗୀ ମାନଙ୍କୁ | ନହେଲେ ୨୦ ବର୍ଷ ର ସ୍ଥିର ସରକାର ସମ୍ଭବ ହୋଇନଥାନ୍ତା |ଏ ଲମ୍ବା ସମୟ ଶାସନ ଭିତରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି |କିନ୍ତୁ କେଉଁ ଯୋଜନା କେତେ ସଫଳ ?କିଏ ବାଟ ହୁଡୁଛି ତ କିଏ ଅଧା ବାଟରେ ଆଣ୍ଠେଇଛି ପୁଣି ଆଉ କିଏ ଦଳୀୟ ମନମାନିର ଶିକାର ହେଉଛି ,ଯାହା ଫଳରେ ତୃଣମୂଳରେ ଏହାର ସଫଳ କାର୍ଯ୍ୟାନ୍ଵୟନ ହେବା ପ୍ରଶ୍ନବାଚି ସୃଷ୍ଟି କରୁଛି !ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଝିରେ ଆହୁରି କେତେ କଣ ,ଜନନୀ ରୁ ହରିଶ୍ଚନ୍ଦ୍ର ଯାଏଁ ଅନେକ ଯୋଜନା କରିଛନ୍ତି ନବୀନ ବାବୁ | କିନ୍ତୁ ଏବେ ସବୁଠୁ ଚର୍ଚ୍ଚାରେ ଅଛି “ବିଜୁ ଯୁବ ବାହିନୀ” | ରାଜ୍ୟର ଯୁବବର୍ଗଙ୍କ ସାମଗ୍ରିକ ବିକାଶ ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ସେବା ପ୍ରତି ଆକୃଷ୍ଟ କରିବା ପାଇଁ ୨୦୧୮ ମସିହା ମାର୍ଚ୍ଚ ୧୪ ତାରିଖରେ ‘ବିଜୁ ଯୁବବାହିନୀ’ ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ ରାଜ୍ୟ କ୍ୟାବିନେଟ । ଆଉ ତା’ପରେ ଉଦ୍ଘାଟନ କରାଯାଇଥିଲା। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୩ ବର୍ଷରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସବୁ ପଞ୍ଚାୟତ ଓ ପୌର ସଂସ୍ଥାରେ ୮ ହଜାର ଗ୍ରୁପ୍ ଗଠନ ଲାଗି ବ୍ୟବସ୍ଥା ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାକୁ ଯାଇ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ‘ମୁଁ ହିରୋ’ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଥିଲା ।ବିଭାଗୀୟ ଶୀର୍ଷ ଅଧିକାରୀମାନେ ଏହି ଯୋଜନାକୁ କେବଳ ବିଜେଡିକେନ୍ଦ୍ରିକ କରିବାରୁ ଏଥିରେ ସବୁ ବର୍ଗର ଯୁବକଯୁବତୀ ସାମିଲ ହେବାକୁ କୁଣ୍ଠାବୋଧ କରିଥିଲେ। ଯାହା ଫଳରେ ନିର୍ବାଚନ ସରିବା ପରେ ବନ୍ଦ ହୋଇଗଲା ‘ବିଜୁ ଯୁବବାହିନୀ’। ଏହାକୁ ଏମିତି କହିପାରିବା “ବିଜୁ ଯୁବ ବାହିନୀ” ଏକ ନିର୍ବାଚନ ଭେଳିକି ନୁହେଁତ ଆଉ କଣ ! ୪୫୦କୋଟି ଟଙ୍କାର ୩ବର୍ଷିଆ ଯୋଜନା ୨୦୧୯ ସାଧାରଣ ନିର୍ବାଚନ ସରିବା ପରେ ନିଜର ଅସ୍ତିତ୍ୱ ହରାଇ ବସିଛି କହିଲେ ଅତ୍ୟୁକ୍ତି ହେବନି । ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସହ ସମାନ ବର୍ଷରେ ଏହି ଯୋଜନାରେ ଆବଣ୍ଟିତ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।
କ୍ରୀଡ଼ା ଉପକରଣ ବଣ୍ଟନ ନାଁରେ ୩୯କୋଟି, ‘ମୋ’ହିରୋ’ କାର୍ଯ୍ୟକ୍ରମରେ ୧୯.୩୫କୋଟି, ଯୁବ ସମାବେଶ ପାଇଁ ୧୮କୋଟି, ସାମାଜିକ କାର୍ଯ୍ୟ ପାଇଁ ୨୨.୯୫କୋଟି, ବ୍ଲକଠୁ ରାଜ୍ୟସ୍ତରର ପ୍ରକଳ୍ପ ପରିଚାଳନା ଏକକ ଗଢି ସେଠାରେ ବିଜେଡି କର୍ମୀଙ୍କୁ ନିଯୁକ୍ତି ଦେଇ ଦରମା ବାବଦରେ ୮.୦୫କୋଟି ଟଙ୍କା ବ୍ୟୟ କରିଥିଲେ। ‘ବିଜୁ ଯୁବ ବାହିନୀ’ ଆଳରେ କ୍ରୀଡ଼ା ବିଭାଗର ଅଧିକାରୀମାନେ ନିଜର ପକେଟକୁ ଗରମ କରୁଥିବାର ବାରମ୍ବାର ଅଭିଯୋଗ ଆସିବା ଓ ସିଏଜିଙ୍କ ଅଡିଟ୍ ପାଇଁ ବିଭାଗ ଟାଳଟୂଳ ନୀତି ଆପଣାଇବା ପରେ ସରକାର ଏହି ଯୋଜନାକୁ ତୁରନ୍ତ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ଯୋଜନାକୁ ୨୦୧୯ ଅକ୍ଟୋବର ମାସରେ ବନ୍ଦ କରିବା ବଜେଟରେ ବ୍ୟୟବରାଦ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣାପଡ଼ିଛି। ଗତକାଲି ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଙ୍କ ପ୍ରଶ୍ନରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବରାଦ ହୋଇନାହିଁ ବୋଲି ବିଧାନସଭାକୁ ସୂଚନା ଦେଇଥିବାବେଳେ ୨୦୧୯-୨୦ରେ ବି ଟଙ୍କାଟିଏ ଏହି ଯୋଜନାରେ ଖର୍ଚ୍ଚ ହୋଇନଥିବାକୁ ଚତୁରତାର ସହ ଏଡ଼ାଇ ଯାଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିର୍ବାଚନ ପୂର୍ବରୁ ହଠାତ ଆକାଶରୁ ଓଲ୍ହାଇ ଆସିଥିବା “ବିଜୁ ଯୁବ ବାହିନୀ” ଏବେ ସୁପ୍ତ ହୋଇଗଲା କାହିଁକି ? ଏହା କରିବା ପଛରେ ବୃହତ୍ତ ଉଦ୍ଦେଶ୍ୟଟି କଣ ଥିଲା ? ୧୯ ନିର୍ବାଚନ ପୂର୍ବରୁ “ବିଜୁ ଯୁବ ବାହିନୀ” କୁ ଜନ୍ମ ଦେଇ ଥିବା ନବୀନ ବାବୁ ସାରା ରାଜ୍ୟରେ ଏହା ମାର୍ଫତରେ “ମୁଁ ହିରୋ ମୁଁ ଓଡିଶା” ଅଭିଯାନ ଆରମ୍ଭ କରିଥିଲେ | ମୁମ୍ବାଇ ର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ଙ୍କୁ ଏହାର ଦାଇତ୍ୱ ପ୍ରଦାନ କରାଯାଇଥିଲା | ଏହି ଅଭିଯାନ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ସେ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ | କିନ୍ତୁ ଗତକାଲିର ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଏକରକମ ସ୍ପଷ୍ଟ କରିଦେଇଛି ଯେ ହିରୋ ଖୋଜୁଥିବା ବିଜୁ ବାହିନୀ ଏବେ ରୋଗାଗ୍ରସ୍ତ ହୋଇଯାଇଛି |ଏହାକୁ ଏପରି କହିପାରିବା ଗୁରୁଣ୍ଡି ଥିବା ସମୟରେ ଗୋଚ୍ଛି କାଟିଦେଲେ ସରକାର |ଯୁବ ବାହିନୀର କାର୍ଯ୍ୟକଳାପକୁ ଯଦି ଦେଖିବେ ତାହା ଆଦୌ ସନ୍ତୋଷ ଜନକ ନୁହେଁ | ନିର୍ବାଚନ ପରେ ବିଶାଳ ଫନି ଉଜାଡିଦେଲା ରାଜଧାନୀ ସମେତ ଅନେକ ସ୍ଥାନକୁ | କିନ୍ତୁ ଯୁବ ବାହିନୀର ସ୍ୱଚ୍ଛାସେଵୀ ମାନେ ସେତେବେଳେ ଆଦୌ ଦେଖା ଦେଲେ ନାହିଁ | କେବେଳ ମାସିକିଆ ଭତ୍ତା ଦେଇ ୨ ଲକ୍ଷ ୬୪ ହଜାର ୨୧୬ ରୁ ଅଧିକ ସଦସ୍ୟଙ୍କୁ ବେକାର କରିଦେଲେ |ତେଣୁ ଶେଷରେ ଏତିକି କୁହାଯାଇପାରେ ‘ବିଜୁ ଯୁବ ବାହିନୀ’ ଯେ କେବଳ ଭୋଟ ଗୋଟାଇ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଏକ ସୁଚିନ୍ତିତ ଭୋଟ ବ୍ୟାଙ୍କ ଯୋଜନା ଥିଲା ଓ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରି ପୁଣି ବିଜୟ ବାନା ଉଡାଇବା ନିମନ୍ତେ ବି.ଜ.ଦ ସରକାର ରାଜକୋଷରୁ ୧୦୦କୋଟି ଟଙ୍କା ମନଇଚ୍ଛା ବାଣ୍ଟିଥିଲେ ତାହା ଏବେ ପ୍ରମାଣିତ ହୋଇଛି । ତେବେ ଯୁବ ବାହିନୀର ଅକାଳ ମୃତ୍ୟୁ ପଛର ଦାୟୀ କିଏ ? କଣ ପାଇଁ ଯୁବ ବାହିନୀର ଡୋରି ବାନ୍ଧିଦେଲେ ସରକାର ? ଏହା ସରକାରଙ୍କର ଦୂରଦର୍ଶୀ ଯୋଜନା ନୁହେଁ କି ? ଆରମ୍ଭ ହେବାର ୨ ବର୍ଷ ଭିତରେ କଣ ଲକ୍ଷ୍ୟ ପୂରଣ ହୋଇଗଲା ? ଏଭଳି ଅନେକ ଅସମାହିତ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବ ! କିନ୍ତୁ ଏ ସବୁ ପ୍ରସଙ୍ଗ ଆମର ବିଜ୍ଞ ମତଦାତା ଓ ସଚେତନ ନାଗରିକ ମାନେ ବୁଝିବା ଦରକାର | ନିଜର ବହୁମୂଲ୍ୟ ମତ ଟି ସଠିକ ଜନପ୍ରତିନିଧି ଙ୍କୁ ଦେବାର ଆବଶ୍ୟକତା ରହିଛି |ଏ ସମ୍ପୁର୍ଣ୍ଣ ପ୍ରସଙ୍ଗର ପ୍ରାସଙ୍ଗିକତା ଓ ନିସ୍କର୍ଷ ଆମ ପାଠକ ମାନଙ୍କ ଉପରେ ଛାଡିଲୁ …



Visitors Today : 3
Total Visitors : 130166
Total Views : 9891611
Visitors Online Now : 0