ନୂଆଦିଲ୍ଲୀ: କରୋନାଭାଇରସ ଟିକା ବିକାଶ କ୍ଷେତ୍ରରେ କରିଥିବା କାର୍ୟ୍ୟ ନିମନ୍ତେ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଆଉ ଅଳ୍ପ କେତେ ଦିନ ମଧ୍ୟରେ ଦେଶବାସୀଙ୍କୁ ଟିକା ଯୋଗାଇ ଦିଆଯିବ। ଆଜି ଆୟୋଜନ ହେଉଥିବା କୋଭିଡ-୧୯ ‘ଡ୍ରାଏ ରନ’ ବ୍ୟବସ୍ଥା ସମୀକ୍ଷା କରିବା ନିମନ୍ତେ ଚେନ୍ନାଇସ୍ଥିତ ‘ରାଜୀବ ଗାନ୍ଧୀ ଗଭର୍ଣ୍ଣମେଣ୍ଟ ଜେନେରାଲ ହସ୍ପିଟାଲ’ ପରିଦର୍ଶନ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏକଥା କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକ୍ତର ବର୍ଦ୍ଧନ କହିଛନ୍ତି, ସ୍ୱଳ୍ପ ସମୟ ମଧ୍ୟରେ ଟିକା ବିକାଶ କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତି କରିଛି। ଆଉ ଅଳ୍ପ କେତେ ଦିନ ମଧ୍ୟରେ ଆମେ ଦେଶବାସୀଙ୍କୁ ଟିକା ଦେଇପାରିବୁ। ପ୍ରଥମେ ପ୍ରତ୍ୟକ୍ଷଭାବେ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମୀମାନଙ୍କୁ ଟିକା ଦିଆଯିବା ପରେ ଡାକ୍ତରମାନଙ୍କୁ ଦିଆଯିବ। ଡାକ୍ତର ବର୍ଦ୍ଧନ ଆହୁରି ମଧ୍ୟ କହିଲେ ଯେ, ଜାତୀୟ ସ୍ତର ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ୟ୍ୟନ୍ତ ଆମେ ସବିଶେଷ ବିବରଣୀ ଲୋକମାନଙ୍କୁ ଅବଗତ କରାଉଛୁ। ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବା ସହ ପ୍ରକ୍ରିୟା ଜାରି ରହିଛି। ଏହି ‘ଡ୍ରାଏ ରନ’ କାର୍ୟ୍ୟକ୍ରମରେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ସି ବିଜୟଭାସ୍କର ମଧ୍ୟ ଉପସ୍ଥିତ ଥିଲେ। ଡିସେମ୍ବର ୨୮-୨୯ରେ ଆଠଟି ଜିଲ୍ଲାରେ ‘ଡ୍ରାଏ ରନ’ ହେବା ପରେ ଜାନୁଆରି ୨ ତାରିଖ ଦିନ ଦେଶବ୍ୟାପୀ ‘ଡ୍ରାଏ ରନ’ ଆୟୋଜିତ ହୋଇଥିଲା। ଆଜି ଦେଶବ୍ୟାପୀ ପ୍ରାୟ ୩୩ଟି ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ‘ମକ ଡ୍ରିଲ’ ଆୟୋଜନ କରାଯାଉଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0