ଦିଲ୍ଲୀରୁ ହଟିଲା ୱିକେଣ୍ଡ କର୍ଫ୍ୟୁ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ହଟିଛି ୱିକେଣ୍ଡ କର୍ଫ୍ୟୁ। ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ଯୋଗୁ ଦିଲ୍ଲୀ ସରକାର ଏଠାରେ ଥିବା ଦୋକାନଗୁଡ଼ିକ ପାଇଁ ଏହି ଫର୍ମୁଲା ଲାଗୁ କରିଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ତେବେ ପୂର୍ବଭଳି ଦିଲ୍ଲୀର ନାଇଟ କର୍ଫ୍ୟୁ ବଳବତ୍ତର ରହିବ।ରାତି ୧୦ଟାରୁ ଭୋର ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।
ସରକାରଙ୍କ ନୂଆ କୋହଳ ନୀତି ଅନୁଯାୟୀ, ଏଣିକି ଦିଲ୍ଲୀରେ ଥିବା ସିନେମା ହଲଗୁଡ଼ିକ ୫୦% ସିଟ୍ କ୍ଷମତାର ସହ ଚାଲିବ। ସେହିପରି ରେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ୫୦% ସିଟିଂ କ୍ଷମତାରେ ସେବା ଯୋଗାଇ ପାରିବେ। ଏଣିକି ବାହାଘର କାର୍ୟ୍ୟକ୍ରମରେ ସର୍ବାଧିକ ୨୦୦ ଜଣ ଲୋକ ଯୋଗ ଦେଇପାରିବେ । ଘରୋଇ ଓ ସରକାରୀ ଅଫିସଗୁଡ଼ିକ ମଧ୍ୟ ୫୦% କର୍ମଚାରୀଙ୍କୁ ନେଇ କାମ କରିପାରିବେ। ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବେ। ପରବର୍ତ୍ତୀ ଅବସ୍ଥାରେ ସଂକ୍ରମଣ ଗ୍ରାଫକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି।
ଏବେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଛି। ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବାରୁ ସରକାର କଟକଣା କୋହଳ କରିଥିବା କହିଛନ୍ତି। ଏହାପୂର୍ବରୁ ଗତ ଶୁକ୍ରବାର ଦିଲ୍ଲୀ ସରକାର ୱିକେଣ୍ଡ କର୍ଫ୍ୟୁ ଓ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପ୍ରତ୍ୟାହାର ପାଇଁ ଗୋଟିଏ ପ୍ରସ୍ତାବ ଉପ ରାଜ୍ୟପାଳଙ୍କୁ ପଠାଇଥିଲେ। ହେଲେ ସେ ଏହାକୁ ଗ୍ରହଣ କରି ନଥିଲେ। ହେଲେ ଏବେ ସେ ସରକାରଙ୍କ କୋହଳ ନୀତି ଉପରେ ମୋହର ମାରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0