ଭୁବନେଶ୍ୱର: ବଦଳିଯିବ ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ । କମ୍ପାନି ୱେସ୍କୋ ଓ ସାଉଥ୍କୋର ମାଲିକାନା ବଦଳିଯିବ। ସେସୁକୁ ହାତେଇବାର ୬ ମାସରେ ଟାଟା ପାୱାର କମ୍ପାନି ଲିମିଟେଡ୍ ନିକଟକୁ ଚାଲିଯିବ ରାଜ୍ୟର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ପକ୍ଷରୁ ଏ ନେଇ ରାୟ ଦିଆଯାଇଛି। ଉକ୍ତ ଦୁଇ ସଂସ୍ଥାର ପରିଚାଳନା ପାଇଁ ସ୍ପେସାଲ ପର୍ପୋଜ ଭେଇକିଲ୍ (ଏସପିଭି) ଗଠନ ହେବ। ଏଥିରେ ଟାଟା ପାୱାର କମ୍ପାନି ଲିମିଟେଡର ୫୧ ପ୍ରତିଶତ ଏବଂ ଗ୍ରିଡ୍କୋ ମାଧ୍ୟମରେ ଓଡ଼ିଶା ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିବ। ଚଳିତ ମାସ ୪ ତାରିଖରେ ଗ୍ରିଡ୍କୋକୁ ଏସପିଭି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି। ଏସ୍ପିଭି ଗଠନ ପରେ ସାଉଥ୍କୋ ଏବଂ ୱେସ୍କୋର ଲାଇସେନ୍ସ ଟାଟା ପାୱାରକୁ ହସ୍ତାନ୍ତର କରାଯିବ। ସାଉଥ୍କୋ ପାଇଁ ଗଠିତ ହେବାକୁ ଥିବା ଏସ୍ପିଭିର ନାମ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବା ଟିପିସିଓଡିଏଲ୍ ରଖାଯାଇଛି। ସାଉଥ୍କୋର ମୂଲ୍ୟ ୨୫୦ କୋଟି ଟଙ୍କା ଧାର୍ୟ୍ୟ କରାଯାଇଛି। ତେଣୁ ୫୧ ପ୍ରତିଶତ ଅଂଶଧନ ପାଇଁ ଟାଟା ପାୱାରକୁ ୧୨୭ କୋଟି ଟଙ୍କା ଦେବାକୁ ପଡ଼ିବ । ତେବେ ଟାଟା ପାୱାର ପକ୍ଷରୁ ଏହି ଅର୍ଥ ଓଇଆର୍ସି ନିକଟରେ ଜମା କରାଯାଇଛି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ୱେସ୍କୋ ଏବଂ ସାଉଥ୍କୋ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଟାଟା ପାୱାର ଆସନ୍ତା ୫ଟି ଆର୍ଥିକ ବର୍ଷରେ ୨୮୨୯ କୋଟି ଟଙ୍କା ପୁଞ୍ଜି ବ୍ୟୟ ବାବଦରେ ନିବେଶ କରିବ। ଏଥିରୁ ୱେସ୍କୋ ଅଞ୍ଚଳରେ ୧୬୬୩ କୋଟି ଏବଂ ସାଉଥ୍କୋ ଅଞ୍ଚଳରେ ୧୧୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ। ସେହିଭଳି ୱେସ୍କୋ ଓ ସାଉଥ୍କୋ ଅଞ୍ଚଳରୁ ଟାଟା ପାୱାର ଆସନ୍ତା ୫ ବର୍ଷରେ ୪୦୦ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ବାବଦ ରାଶି ଆଦାୟ କରିବ। ବିଦ୍ୟୁତ୍ ବଣ୍ଟନରେ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ସାଉଥ୍କୋ ଅଞ୍ଚଳରେ ୩୫.୨୯ ପ୍ରତିଶତ ଏବଂ ୱେସ୍କୋ ଅଞ୍ଚଳରେ ୨୭.୫୬ ପ୍ରତିଶତ ରହିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନି ଏହି କ୍ଷତିକୁ ଯଥାକ୍ରମେ ୧୪.୬୦ ପ୍ରତିଶତ ଏବଂ ୯.୦୮ ପ୍ରତିଶତକୁ କମାଇବାର ଦୃଢ଼ ପ୍ରତିଶ୍ରୁତି ଦେଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0