ଭୁବନେଶ୍ୱର : ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ପିପିଲି | ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ଶାସକ ବିଜେଡିର ଦୁର୍ଗ ଭାବେ ପରିଚିତ ଏହି ଆସନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷକୁ ଦୂର କରିବା ପାଇଁ ବିଜେଡି ଏବେ ସେଠାରେ ୱାର୍ଡକମିଟି ଗଠନ ସହ ସଂଗଠନ ତାଳିପକା ଉଦ୍ୟମ ଆରମ୍ଭ କରିଛି। କିନ୍ତୁ ବିଜେଡି ପ୍ରତି ଥିବା ଅସନ୍ତୋଷର ଫାଇଦା ନେବାକୁ ମୁଖ୍ୟ ବିରୋଧୀ ଦଳ ବିଜେପି ଏପର୍ଯ୍ୟନ୍ତ ପିପିଲିରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନଥିବାବେଳେ କଂଗ୍ରେସ ମଧ୍ୟ ସେଠାରେ ନିଜର ନେତୃତ୍ୱକୁ ନେଇ ସଙ୍କଟରେ ରହିଛି । ବିଜେଡି ପିପିଲି ପାଇଁ ଦଳର ବରିଷ୍ଠ ବିଧାୟକ ପ୍ରତାପ ଦେବଙ୍କୁ ଢେର୍ ଦିନ ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇସାରିଛି । ଶ୍ରୀ ଦେବ କହିଛନ୍ତି ସବୁ ଉପନିର୍ବାଚନକୁ ବିଜେଡି ଅତି ଗୁରୁତ୍ବର ସହ ନେଇଥାଏ । ସ୍ବାଭାବିକ ଭାବେ ପିପିଲି କ୍ଷେତ୍ରରେ ବି ଅନୁରୂପ ଭାବେ ଦଳ ରଣନୀତି କରୁଛି । ଏହି ଆସନରେ କିଏ ଦଳର ପ୍ରାର୍ଥୀ ହେବ, ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ଓ ଖୁବ୍ ଶୀଘ୍ର ଘୋଷଣା ହେବ । ସେପଟେ ଭାରତୀୟ ଜନତା ପାର୍ଟି ଓଡିଶାର ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଦଳର ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କ ସମେତ ପୁରୀର ବିଜେପି ବିଧାୟକ ଓ କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ଏକ ରକମର ସୁନିଶ୍ଚିତ ହୋଇପାରେ | କିନ୍ତୁ ଏ ନେଇ ବିଧିବଦ୍ଧ ଭାବେ ପ୍ରକ୍ରିୟା ହୋଇ ଘୋଷଣା ହୋଇପାରେ । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏହି ଆସନକୁ ଯେମିତି ହେଲେ ବି ଅକ୍ତିଆର କରିବା ଲାଗି ଆହ୍ବାନ ଦେଇଛନ୍ତି । ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ରଣନୀତି ଆଲୋଚନା ହୋଇଛି। ଯେହେତୁ ନିକଟରେ ନୂଆଶାସନ ପଞ୍ଚାୟତ ନିର୍ବାଚନରେ ବିଜେପି ସଫଳତା ପାଇଛି, ଏଣୁ ଏହି ସଫଳତା ଦୋହରାଇବା ଲାଗି ବିଜେପି ନେତାମାନେ ଅଣ୍ଟା ଭିଡିଛନ୍ତି । ଗତ ସାଧାରଣ ନିର୍ବାଚନ ପରେ ବିଜେପୁର, ତିର୍ତ୍ତୋଲ, ବାଲେଶ୍ବର କୌଣସି ଆସନରେ ବିଜେପି ଉପନିର୍ବାଚନ ଜିତିନାହିଁ। ବରଂ ବାଲେଶ୍ବର ଆସନ ଭାଜପା ହାତରୁ ଖସିଯାଇଛି । ଏଣୁ ପିପିଲି ଆସନ ଜିଣି ଏହାକୁ ଭରଣା କରିବା ଏବେ ଦଳ ପାଇଁ ଆହ୍ବାନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି | କିନ୍ତୁ ନୂଆଶାସନ ପଂଚାୟତ ଉପନିର୍ବାଚନର ଫଳାଫଳକୁ ନେଇ ବିଜେପି ଆତ୍ମସନ୍ତୋଷ ମଧ୍ୟରେ ନିଜକୁ ସୀମିତ ରଖିଥିବା ଜଣାପଡ଼ିଛି । ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ସମସ୍ତ ୪ଟି ବିଧାନସଭା ଉପନିର୍ବାଚନରେ ବିଜେଡି ନିଜର ପତିଆରା ଦେଖାଇଥିବାବେଳେ ବିଜେପି ଓ କଂଗ୍ରେସର ଦୁର୍ବଳ ରଣନୀତି ଓ ଅନାଗ୍ରହ ଯୋଗୁ ପିପିଲିରେ ବି ସମାନ ପରିସ୍ଥିତି ସୃଷ୍ଟି ହେବ ବୋଲି ଏବେଠୁ ରାଜନୀତିକ ବିଶ୍ଲେଷକ ମାନେ ମତ ଦେବା ଆରମ୍ଭ କଲେଣି |
ସର୍ବ ପୁରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସ ପିପିଲିରେ ନିଜର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏଥିରେ ପିସିସି ସଭାପତିଙ୍କ ଠାରୁ ଆରମ୍ଭକରି ବରିଷ୍ଠ ନେତାମାନେ ଯୋଗଦେଇଥିଲେ । ଗାନ୍ଧୀଙ୍କ ଓଡ଼ିଶା ଆଗମନ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲେ ହେଁ ଏହାକୁ ଆଳ କରି କର୍ମୀଙ୍କୁ ଦଳ ସକ୍ରିୟ କରିଛି । କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ କହିଛନ୍ତି, ଦଳ ସଂଗଠିତ ଭାବେ ଲଢ଼ିବ । ଖୁବଶୀଘ୍ର ପିସିସି ସଭାପତି ଏ ସଂକ୍ରାନ୍ତରେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପକ୍ଷରେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିପିଲିରେ କଂଗ୍ରେସ ନୂଆ ମୁହଁ ଦେବା ସପକ୍ଷରେ ପ୍ରସ୍ତୁତି ଚଳାଇଛି । ବରିଷ୍ଠ ପୁରୁଖା ନେତା ଯୁଧିଷ୍ଠିର ସାମନ୍ତରାୟ ପ୍ରାୟତଃ ଦୌଡରେ ନାହାନ୍ତି କହିଲେ ଚଳେ | ଦଳରେ ଥିଲେ ମଧ୍ୟ ଗତ ନିର୍ବାଚନ ପରଠାରୁ ଆଉ ସକ୍ରିୟ ଥିବାର ଦେଖା ଯାଉନାହିଁ | ଗତଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ଙ୍କ ନାମ କଂଗ୍ରେସ ତରଫରୁ ଚର୍ଚ୍ଚା ହେଊଛି | ତେବେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାରରୁ ପ୍ରାର୍ଥୀ କରିବା ନେଇ ବିଜେଡି ସବୁଜ ସଙ୍କେତ ଦେଉଥିବାବେଳେ ମହାରଥୀଙ୍କ ପତ୍ନୀ ଓ ପୁଅଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ରହିଥିବା ମତଭେଦକୁ ଦୂର କରିବାରେ ମଧ୍ୟ ଦଳ କସରତ ଚଳାଇଛି । ପିପିଲି ବିଜେଡିରେ ଗତ କିଛିବର୍ଷ ଧରି ଦିବଂଗତ ମହାରଥୀଙ୍କ ଦ୍ୱାରା ଅଣଦେଖା ହୋଇ ରହିଥିବା ଦଳୀୟ କର୍ମୀଙ୍କ ଅସନ୍ତୋଷ, ମୁମ୍ବାଇ ପୂର୍ବତନ ପୁଲିସ କମିଶନର ତଥା ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ରୁ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଅରୂପ ପଟ୍ଟନାୟକ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବାରୁ ବିଜେଡି ପିପିଲିରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି | ତେବେ ଶେଷରେ ଏତିକି କୁହାଯାଇପାରେ ରାଜନୈତିକ ଦଳ ଗୁଡିକ ଅନୁକମ୍ପା ହାତେଇବା ପାଇଁ ପାରିବାରିକ ରାଜନୀତିକୁ ପ୍ରୋତ୍ସାହନ ନ ଦିଅନ୍ତୁ | ଦକ୍ଷ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯାଉ | ଗଣତନ୍ତ୍ର କୁ ରାଜା ଶାସନ ଭଳି ପରିବାରବାଦ ଭିତରେ ସୀମିତ ରଖାନଯାଉ |ପିପିଲିବାସୀ କାହା ମୁଣ୍ଡରେ ମୁକୁଟ ପିନ୍ଧେଇବେ ତାହତ ସମୟ କହିବ | କିନ୍ତୁ ଆଶା ରଖିବା ନିର୍ଵାଚନଟି ନିର୍ଭୟ.ନିରପେକ୍ଷ ଓ ପ୍ରଲୋଭନ ମୁକ୍ତ ହେଉ , ଯାହାଫଳରେ ପ୍ରକୃତ ଜନନେତାଟିଏ ନିର୍ବାଚିତ ହୋଇ ଜନସାଧାରଣଙ୍କର ସେବା କରିପାରିବ …….



Visitors Today : 1
Total Visitors : 130301
Total Views : 9891804
Visitors Online Now : 0