ବଡବିଲ : ଭତ୍ତା ପାଇଁ ଭିନ୍ନକ୍ଷମ ସ୍ବାମୀଙ୍କୁ ଟ୍ରାଇସାଇକେଲରେ ( ତିନିଚକିଆ ଢେଲାଗାଡ଼ି ) ବସାଇ ଠେଲି ଠେଲି ଦୀର୍ଘ ୧୭ କି.ମି. ରାସ୍ତା ଆଣିଲେ ସ୍ତ୍ରୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ।
ସୂଚନା ଅନୁସାରେ ଚମ୍ପୁଆ ବ୍ଲକ୍ ବଡ଼ନଈ ପଂଚାୟତର ଦୁଲୁମ ଚାତମ୍ବା କିଛିମାସ ତଳେ ଘରକାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଫଳରେ ତାଙ୍କର ବାମହାତ ଓ ଡାହାଣ ଗୋଡ଼ ଅଚଳ ହୋଇଗଲା । ଏକ ପ୍ରକାର ଭିନ୍ନକ୍ଷମ ପାଲଟି ଯାଇଥିବା ଦୁଲୁମ ଚାତମ୍ବା କାମ ଧନ୍ଦା କରିନପାରିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇଗଲା । ଏଭଳି ପରିସ୍ଥିତିରେ ସରକାରୀ ସହାୟତା ମିଳିବ ବୋଲି ଆଶା କରିଥିଲେ ।
ବାର୍ଦ୍ଧକ୍ୟ/ଭିନ୍ନକ୍ଷମ ଭତ୍ତା ପାଇବା ଆଶାରେ ପଂଚାୟତ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ, ଚମ୍ପୁଆ ବ୍ଲକ୍ ବିଡିଓଙ୍କୁ ଗୁହାରି ଜଣାଇବା ପାଇଁ ବାହାରିପଡ଼ିଲେ । ଗାଡ଼ି ଭଡ଼। କରି ଆସିବାକୁ ସମ୍ବଳ ନଥିବାରୁ ବାଧ୍ୟ ହୋଇ ଅନ୍ୟ ଜଣେ ଦିବ୍ୟାଙ୍ଗଙ୍କ ନିକଟରୁ ଟ୍ରାଇ ସାଇକେଲ ମାଗି ସେଥିରେ ବସି ଦୀର୍ଘ ୧୭କି.ମି. ବାଟ ଅତିକ୍ରମ କରି ଆସି ପହଁଚିଥିଲେ ଚମ୍ପୁଆରେ । ସ୍ତ୍ରୀ ସୂର୍ଯ୍ୟ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିପଦପୂର୍ଣ୍ଣ ରାସ୍ତାରେ ୫ ଘଂଟା ଧରି ଟ୍ରାଇ ସାଇକେଲକୁ ଠେଲିଠେଲି ନେଇ ବ୍ଲକ୍ କାର୍ଯ୍ୟାଳୟରେ ପହଁଚିଥିଲେ ।
ଏହି ଘଟଣା ସମଗ୍ର ଚମ୍ପୁଆ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବ୍ଲକ୍ କାର୍ଯ୍ୟାଳୟରେ ପହଁଚି ନିଜର ଗୁହାରି ଶୁଣାଇଥିଲେ ଏହି ଦମ୍ପତ୍ତି । ତେବେ ବ୍ଲକ୍ ପକ୍ଷରୁ ତାଙ୍କୁ ଆଶ୍ବସନା ଦିଆଯିବା ସହ ଗାଡ଼ି କରି ତାଙ୍କୁ ଗାଁରେ ପହଁଚାଇ ଦିଅଯାଇଥିବା ସୂଚନା ମିଳିଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0