ସମ୍ବଲପୁର : ସମ୍ବଲପୁର କୋଭିଡ୍ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସାଧୀନ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ମହିଳାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ପୂର୍ବରୁ କରୋନାରେ ଏହି ମହିଳାଙ୍କ ମା’ ଏବଂ ଭାଇଙ୍କ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେଲାଣି ଉନ୍ନତ ଚିକିତ୍ସା ପାଇଁ ମହିଳାଙ୍କ ପରିବାର ଲୋକେ ତାଙ୍କୁ କଟକ କିମ୍ବା ଭୁବନେଶ୍ୱରର ଭଲ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିବେଦନ ଓ ପ୍ରୟାସ କରି ଆସୁଥିଲେ। କିନ୍ତୁ ସ୍ଥାନାନ୍ତର ପାଇଁ ତାଙ୍କୁ ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଆମ୍ବୁଲାନ୍ସ ମିଳିନଥିଲା। ଆମ୍ବୁଲାନ୍ସ ଉପଲବ୍ଧ ହେଲେ ତାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ କିଛି କରାଯାଇ ପାରି ନ ଥିଲା। ଶେଷରେ ଆଜି ମହିଳା ଜଣଙ୍କ ଆଖି ବୁଜିଛନ୍ତି। ଏହାପରେ ତାଙ୍କ ପୁଅ ଚିକିତ୍ସାରେ ଅବହେଳା ସହ ସମ୍ବଲପୁର କୋଭିଡ୍ ହସ୍ପିଟାଲ ବିରୋଧରେ ନାନା ପ୍ରକାର ଅଭିଯୋଗ ଆଣିଛନ୍ତି।ପୁଅଙ୍କ ଅଭିଯୋଗ ଅନୁଯାୟୀ, କୋଭିଡ୍ ଚିହ୍ନଟ ହେବା ପରେ ୧୯ ତାରିଖରେ ତାଙ୍କ ମାଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୧ ତାରିଖରେ ସେ ଆଇସିୟୁକୁ ଆସିଲେ। ସେତେବେଳେ ସେ ନିଜେ ଚାଲି ଚାଲି ଆଇସିୟୁକୁ ଯାଇଥିଲେ। ତେବେ ଏହାପରେ ତାଙ୍କ ଚିକିତ୍ସା ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏମିତିକି ଦିନେ ଭୋର ୩ଟାରେ ସେ ଘରକୁ ଫୋନ୍ କରି ତାଙ୍କୁ ଲଗାଯାଇଥିବା ସାଲାଇନ ସରିଯାଇ ରକ୍ତ ବାହାରିବା ଆରମ୍ଭ କଲାଣି । ମାତ୍ର ଏହାକୁ ଖୋଲିବା ପାଇଁ ପାଖରେ କେହି ନର୍ସ କି ଆଟେଣ୍ଡାଣ୍ଟ ନାହାନ୍ତି ବୋଲି ଜଣାଇଥିଲେ। ପୁଅ ତୁରନ୍ତ କଣ୍ଟ୍ରୋଲ ରୁମକୁ ଫୋନ କରିବାରୁ ସେମାନେ ପ୍ରଥମେ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ସାଲାଇନ୍ ଖୋଲା ଯାଇଥିଲା। ଏଭଳି ଆଉ କେତେକ ଅଭିଯୋଗ ମଧ୍ୟ ସେ ଆଣିଛନ୍ତି। ତେବେ ବାରମ୍ବାର ଫୋନ ଜରିଆରେ ମହିଳା ଜଣକ ତାଙ୍କ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ପରିବାରକୁ ଜଣାଇବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଫୋନ୍ ଜବତ କରି ନେଇଥିଲେ। ପୁଅ କହିଛନ୍ତି, ଆଇସିୟୁରେ ଜଣେ ଭଲ ଭେଣ୍ଟିଲେଟର ଅପରେଟର ନାହାନ୍ତି। ଡାକ୍ତର ଏଠାକୁ ଆସନ୍ତି ନାହିଁ। ଏପରିକି ସେମାନେ ଘରୋଇ ଡାକ୍ତରଖାନାରେ ଦେଖାଇବା ପାଇଁ ଚାହିଁବାରୁ ଡାକ୍ତରଖାନା ପକ୍ଷରୁ ଆଇସିୟୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିଲା। ତେଣୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରିଲା ନାହିଁ। ଏଭଳି ଅବସ୍ଥା ଯୋଗୁଁ ହିଁ ପ୍ରତିଦିନ ଏଠାରେ ରୋଗୀଙ୍କ ମୃତ୍ୟୁ ହେଉଥିବା ପୁଅ ଅଭିଯୋଗ କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0