ବାହାଘର ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛି। ଏହାର ଅର୍ଥ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା।ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ। ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବାହାଘର ବୟସ ୨୧କୁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି।ଗତବର୍ଷ ସ୍ୱାଧୀନତା ଦିବସ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ “ଝିଅ ଓ ଭଉଣୀମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାର ସବୁବେଳେ ଯତ୍ନବାନ ରହିଛନ୍ତି। ଝିଅମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବାକୁ ହେଲେ, ସେମାନଙ୍କ ବିବହାର ଠିକ୍ ବୟସରେ ହେବା ଦରକାର।”ବର୍ତ୍ତମାନ ଦେଶରେ ପୁଅମାନଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ଥିବା ବେଳେ ଝିଅଙ୍କ କ୍ଷେତ୍ରରେ ଏହା ୧୮ ବର୍ଷ ରହିଛି। ତେଣୁ କେନ୍ଦ୍ର ସରକାର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାବାଦ ବାଲ୍ୟ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନରେ ମଧ୍ୟ ସରକାର ସଂଶୋଧନ କରିବାକୁ ଚାହୁଁଛନ୍ତି।ଏସବୁ ବିଷୟରେ ବିଚାର କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଜୁନ ମାସରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରିଥିଲେ। ଏଥିରେ ଟପ୍ ବିଶେଷଜ୍ଞ ଡା ଭିକେ ପଲ୍, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ। ଏହି ଟାସ୍କ ଫୋର୍ସର ନେତୃତ୍ୱ ଜୟା ଜେଟଲୀ ନେଇଥିଲେ।ଟାସ୍କ ଫୋର୍ସ ଡିସେମ୍ବର ମାସରେ ତା’ର ରିପୋର୍ଟ ଦାଖଲ କରିଥିଲା। ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା। ଏହାବାଦ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0