ଭୁବନେଶ୍ୱର: କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ପାଇଁ ୩୫୦୦କୋଟି ଖର୍ଚ୍ଚ ହେବ। ଏହି ମେଡିକାଲ କଲେଜକୁ ଏମସପ୍ଲସ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ସରକାରୀସ୍ତରରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଏତେ ପରିମାଣର ଅର୍ଥ ବିନିଯୋଗ ହେବାରେ ଏହା ହେଉଛି ଦେଶର ସର୍ବବୃହତ୍ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମେଡିକାଲ କଲେଜର ନବକଳେବର ପ୍ରକଳ୍ପର ସମୀକ୍ଷା କରି ୫ହଜାର ବେଡ ବିଶିଷ୍ଟ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ। ୧୯୪୪ ମସିହାରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଓଡ଼ିଶା ସମେତ ପୂର୍ବଭାରତରେ ଉନ୍ନତ ମାନର ଚିକିତ୍ସା ଯୋଗାଇବାରେ ସୁନାମ କରିଛି। ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ୟ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ। ୧୬୧ଏକର ଜମିରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପରେ ପ୍ରଥମ ପର୍ୟ୍ୟାୟରେ ୩୫୦୦ବେଡ କରାଯିବ। ଦ୍ୱିତୀୟ ପର୍ୟ୍ୟାୟରେ ଏହାକୁ ୫ହଜାର ବେଡକୁ ବୃଦ୍ଧି କରାଯିବ। ୩ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୨୪ ଜାନୁୟାରୀ ପହିଲାରେ ଉଦଘାଟନ କରିବେ ବୋଲି ଆଜି ଦିନ ଧାର୍ୟ୍ୟ କରିଛନ୍ତି। ଏଠାରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ସୁବିଧା ସହ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0