spot_img

ସମୁଦ୍ରକୁ ବହିଗଲା ମହାନଦୀର ୧୦ଲକ୍ଷ କ୍ୟୁସେକ ପାଣି

କଟକ: ମାତ୍ର ଦଶଦିନ ଭିତରେ ସମୁଦ୍ରକୁ ବହିଗଲା ମହାନଦୀର ୧୦ ଲକ୍ଷ କୁ୍ୟସେକ ପାଣି । ପାଣି ବୋହିଯିବା ପରେ ନଈ ମାନଙ୍କରେ ବାଲି ଦେଖାଯିବା ସହିତ କେନାଲ ସବୁ ଶୁଖିଲା ପଡ଼ିଗଲାଣି । ମହାନଦୀରେ ସ୍ଥାପିତ ହୀରାକୁଦ ବନ୍ଧକୁ ୬୦ ବର୍ଷ ବିତି ଯାଇଥିଲେ ମଧ୍ୟ ଆଉ ଗୋଟିଏ ଜଳଭଣ୍ଡାର ନିର୍ମାଣ ନହେବା ଯୋଗୁଁ ପ୍ରତ୍ୟେକ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।
ସୂଚନାଅନୁଯାୟୀ, ଅଗଷ୍ଟ ୩୧ ତାରିଖରେ ମୁଣ୍ଡଳୀରେ ସର୍ବାଧିକ ୧୦ ଲକ୍ଷ ୨୬ ହଜାର ୨୧୮ କୁ୍ୟସେକ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ପ୍ରବାହିତ ହେଉଛି ମାତ୍ର ୧ ଲକ୍ଷ ୧୮ ହଜାର ୭୬୭ କୁ୍ୟସେକ ପାଣି । କାଠଯୋଡ଼ିର ନରାଜ ଓ ମହାନଦୀର ଯୋବ୍ରା ନିକଟରେ ବ୍ୟାରେଜ ଥିବାରୁ କିଛି ମାତ୍ରାରେ ଜଳ ପ୍ରବାହ ନିୟନ୍ତ୍ରଣ ହେଉଛି । ମାତ୍ର ବର୍ଷା ଦିନରେ ଜଳ ରକ୍ଷଣରେ ସହାୟକ ହୋଇପାରୁନାହିଁ ।
ଆଜି ପର୍ଯ୍ୟନ୍ତ ମହାନଦୀର ପାଣିକୁ ସଂରକ୍ଷିତ କରିବା ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଅନ୍ୟପଟେ ସରକାର ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ ତଥା ବିଭିନ୍ନ ନଦୀ ପାଇଁ ୧୨ ଶହ କୋଟିର ଯୋଜନା କରିବା ସହ ପାଣି ରୋକିବା ପାଇଁ ୧୦୩ ସ୍ଥାନରେ ବ୍ୟାରେଜ, ଆନିକଟ ପାଇଁ ଯୋଜନା କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରି ହୋଇପାରୁ ନାହିଁ । ୧୯୩୭ ପ୍ରଳୟଙ୍କାରୀ ବନ୍ୟା ଉପଦେଷ୍ଟା କମିଟି(୧୯୩୮-୪୫)ର ବୈଠକରେ ହୀରାକୁଦ, ନରାଜ ଓ ଟିକରପଡ଼ା ଠାରେ ୩ ଟି ବନ୍ଧ ନିର୍ମାଣ ପାଇଁ ସ୍ୱୀକୃତି ଦିଆଯାଇଥିଲା । କିନ୍ତୁ କେବଳ ହୀରାକୁଦ ନଦୀବନ୍ଧ ହିଁ ନିର୍ମାଣ ହୋଇପାରିଛି । ଆଉ ମୁଣ୍ଡଳିଠାରେ ଆନିକଟ ନିର୍ମାଣ କରି ପୁରୀ ଜିଲ୍ଲା ପାଇଁ ଜଳସେଚନର ସୁବିଧା କରାଯାଇଛି । ବିଭିନ୍ନ କାରଣରୁ ଆଉ ଦୁଇଟି ନଦୀବନ୍ଧ ନିର୍ମାଣ ହୋଇପାରି ନାହିଁ । ଏପରିକି ମହାନଦୀର ତଳମୁଣ୍ଡରେ ଥିବା ଏହାର ୪୮,୭୦୦ ବର୍ଗ କିଲୋମିଟର ଅବବାହିକାର ବର୍ଷାଜଳ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇପାରି ନାହିଁ ।
ସରକାର ଏ ସଂପର୍କରେ ନିଷ୍ପତି ନେବେ ଏବଂ ଏଥିପାଇଁ ସ୍ୱତନ୍ତ୍ର ପ୍ଲାନିଂ ବିଭାଗ ରହିଛି ବୋଲି ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular