ବେଙ୍ଗାଲୁରୁ: ଗୋଆ ଯାଇ ପିକନିକ କରିବାର ସ୍ୱପ୍ନ ଅଧା ବାଟରେ ରହିଗଲା । ଅଧା ବାଟରେ ହିଁ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜଣଙ୍କ ଜୀବନ । ଶୁକ୍ରବାର ସକାଳୁ କର୍ଣ୍ଣାଟକାର ଧରୱାଡ ଜିଲ୍ଲାର ଇଟିଗାଟ୍ଟି ଗାଁ ନିକଟରେ ଗୋଟିଏ ଟେମ୍ପୋ ଟ୍ରାଭେଲର ସାମ୍ନା ପଟୁ ଆସୁଥିବା ଟିପ୍ପର ଟ୍ରକକୁ ଧକ୍କା ଦେଇଛି। ଫଳରେ ଟେମ୍ପୋରେ ଗୋଆ ଯାଉଥିବା ଗୋଟିଏ ମହିଳା କ୍ଲବର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସେହିପରି ଟିପ୍ପର ଟ୍ରକ ଚଳାଉଥିବା ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଲିସ କହିଛି ଯେ ଟେମ୍ପୋ ଟ୍ରାଭେଲରରେ ଦାଭାନଗେରେରେ ଥିବା ମହିଳା କ୍ଲବର ସଦସ୍ୟମାନେ ରହିଥିଲେ। ଏମାନେ ସମସ୍ତେ ଛୁଟି କାଟିବାକୁ ଗୋଆ ଯାଉଥିବା ବେଳେ ହଠାତ ସେମାନଙ୍କ ଗାଡ଼ି ଇଟିଗାଟ୍ଟି ନିକଟରେ ସାମ୍ନା ପଟୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ମହିଳା କ୍ଲକର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଟ୍ରକ ଚାଳକ ମଧ୍ୟ ଘଟଣା ସ୍ଥଳରେ ଆଖି ବୁଜିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ମହିଳା କ୍ଲବର ଆଉ ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସେହିପରି ଟିପ୍ପର ଟ୍ରକରେ ଥିବା ଆଉ ୨ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହୁବଲି ସ୍ଥିତ କେଆଇଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲା ଏସପି କୃଷ୍ଣ କାନ୍ତ ଉଦ୍ଧାର ଓ ରିଲିଫ କାର୍ୟ୍ୟକୁ ନିଜେ ତ୍ୱାରାନ୍ୱିତ କରୁଛନ୍ତି। ଧରୱାଡ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0