ନୂଆଦିଲ୍ଲୀ: ‘ଖେଲୋ ଇଣ୍ଡିଆ’ କାର୍ୟ୍ୟକ୍ରମରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ବିକାଶ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ। ୪ ବର୍ଷ ମଧ୍ୟରେ ଏ ସମ୍ପର୍କିତ ସମସ୍ତ କାର୍ୟ୍ୟ ଶେଷ ହେବ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିକୁଙ୍କ ସୂଚନା ଅନୁସାରେ, ‘ଖେଲୋ ଇଣ୍ଡିଆ’ କାର୍ୟ୍ୟକ୍ରମ ଅଧୀନରେ ପ୍ରଥମ ପର୍ୟ୍ୟାୟରେ ଓଡ଼ିଶା ସମେତ ୮ଟି ରାଜ୍ୟର ଗୋଟିଏ ଗୋଟିଏ କ୍ରୀଡ଼ାକେନ୍ଦ୍ରକୁ ବିକଶିତ କରାଯିବ। ଅନ୍ୟ ରାଜ୍ୟଗୁଡ଼ିକ ହେଲା, ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳ। ଏଥିପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଡାଡିୟମକୁ ମନୋନୀତ କରାଯାଇଥିବେଳେ ଏହାର ବିକାଶ ପାଇଁ ୧୨.୦୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅର୍ଥ ଭିତ୍ତିଭୂମିର ବିକାଶ, କ୍ରୀଡ଼ାବିଜ୍ଞାନ କେନ୍ଦ୍ର ସ୍ଥାପନ, ଉତ୍କୃଷ୍ଟମାନର ପ୍ରଶିକ୍ଷକ ନିଯୁକ୍ତି, କ୍ରୀଡ଼ା ବିଜ୍ଞାନ ମାନବସମ୍ବଳ ବା ଫିଜିଓଥେରାପିଷ୍ଟ ନିଯୁକ୍ତି ପ୍ରଭୃତି ପାଇଁ ବିନିଯୋଗ କରାଯିବ। କ୍ରୀଡାବିତ୍ମାନଙ୍କୁ ଉନ୍ନତମାନର ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ଏବଂ, ୪ ବର୍ଷ ମଧ୍ୟରେ ଏହି କାର୍ୟ୍ୟ ଶେଷ ହେବ। ପ୍ରତ୍ୟେକ ଉତ୍କର୍ଷ ମାଧ୍ୟମରେ ୧୪ଟି ଅଲିମ୍ପିକ୍ କ୍ରୀଡା ପାଇଁ ଅଭ୍ୟାସ ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ଯେପରି ପଦକ ତାଲିକାରେ ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହେ, ସେହି ଲକ୍ଷ୍ୟ ରଖି ଏହି ଉଦ୍ୟମ ଆରମ୍ଭ ହୋଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀ ରିଜିକୁ କହିଛନ୍ତି।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0