ଭୁବନେଶ୍ୱର: ଆଜି ୧୭୨୭ ଜଣ ପର୍ଯ୍ୟଟକ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’କୁ ବୁଲିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୧୬୬୮ ଜଣ ଅନଲାଇନ ଓ ୫୯ ଜଣ ଅଫଲାଇନରେ ଟିକେଟ କିଣିଥିଲେ। ସେହିପରି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନକୁ ଆଜି ୨୬୭ ଜଣ ପର୍ଯ୍ୟଟକ ବୁଲିବାକୁ ଯାଇଥିବା ସୂଚନା ମିଳିଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ବୁଲାଇବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି। ଟିକେଟ୍ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0