କରୋନା ପାଇଁ ଆସିଛି ୨ ପ୍ରକାରର ପଲିସି । ଗୋଟିଏ ହେଲା କରୋନା କବଚ ପଲିସି ଏବଂ ଅନ୍ୟଟି କରୋନା ରକ୍ଷକ ପଲିସି । କୋଭିଡ-୧୯ ଜନିତ ଖର୍ଚ ପାଇଁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍ଡିଏଆଇ ବୀମା ପଲିସି ଆଣିବା ଲାଗି ବୀମା କମ୍ପାନୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
କରୋନା ପାଇଁ ସାଧାରଣ ସ୍ୱାସ୍ଥ୍ୟ ବୀମା ପଲିସି ହେଉଛି କରୋନା କବଚ ପଲିସି । ଏହାକୁ ଆପଣ ସାଧାରଣ ବୀମା ଓ ସ୍ୱାସ୍ଥ୍ୟ ବୀମା ବିକ୍ରି କରୁଥିବା କମ୍ପାନୀଠାରୁ ପାଇପାରିବେ । ମାତ୍ର କରୋନା ରକ୍ଷକ ପଲିସି ଜୀବନ ବୀମା କମ୍ପାନୀଠାରୁ କିଣିପାରିବେ । କରୋନା କବଚ ପଲିସି ଏକ ଇଣ୍ଡେମନିଟି ପ୍ଲାନ, ଯେଉଁଥିରେ ହସ୍ପିଟାଲରେ ହେଉଥିବା ଖର୍ଚ୍ଚ ଫେରସ୍ତ ମିଳିବ । ହେଲେ କରୋନା ରକ୍ଷକ ହେଉଛି ଏକ ଲାଭ ଭିତ୍ତିକ ପ୍ଲାନ । ଏଥିରେ ବୀମାଧାରକଙ୍କୁ ସମ୍ପୂର୍ଣ୍ଣ ବୀମା ରାଶି ପ୍ରଦାନ କରାଯିବ । ଏହାସହ ଉଭୟ ପଲିସିରେ ଅନ୍ୟାନ୍ୟ ରୋଗର ଚିକିତ୍ସା ବାବଦ ଖର୍ଚ୍ଚ ମଧ୍ୟ ବହନ କରାଯିବ । କରୋନା କବଚ ପଲିସି ଉଭୟ ବ୍ୟକ୍ତି ବିଶେଷ ଓ ପରିବାର କିଣି ପାରିବେ । ହେଲେ କରୋନା ରକ୍ଷକ ପଲିସି କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ଉପଲବ୍ଧ । କରୋନା କବଚ ପଲିସିର ଲାଭ ପାଇବାକୁ ହେଲେ ହସ୍ପିଟାଲରେ ଅତିକମରେ ୨୪ ଘଣ୍ଟା ରହିବାକୁ ହେବ । ହେଲେ କରୋନା ରକ୍ଷକ ପଲିସିର ଲାଭ ହସ୍ପିଟାଲରେ ଲଗାତାର ୭୨ ଘଣ୍ଟା ରହିବା ପରେ ମିଳିବ ।
କରୋନା କବଚ ପଲିସିରେ ସର୍ବନିମ୍ନ ବୀମା ରାଶି ମୂଲ୍ୟ ୫୦ ହଜାର ଟଙ୍କା ରହିଛି । ସେହିପରି ସର୍ବାଧିକ ରାଶି ରହିଛି ୫ ଲକ୍ଷ ଟଙ୍କା । ଅନ୍ୟପଟେ କରୋନା ରକ୍ଷକ ପଲିସିରେ ସର୍ବନିମ୍ନ ବୀମା ରାଶି ମୂଲ୍ୟ ୫୦ ହଜାର ଟଙ୍କା ରହିଥିବା ବେଳେ ସର୍ବାଧିକ ରାଶି ଅଢେଇ ଲକ୍ଷ ଟଙ୍କା ରହିଛି । କରୋନା କବଚ ପଲିସିରେ ‘ହସ୍ପିଟାଲ ଡେଲି କ୍ୟାସ’ ନାମକ ବିକଳ୍ପ ବ୍ୟବସ୍ଥା ରହିଛି । ଏଥିରେ ବୀମା କମ୍ପାନୀ ବୀମା ରାଶିର ୦.୫ ପ୍ରତିଶତ ଅର୍ଥ ପ୍ରଦାନ କରିବେ । ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ରହିବ । ହେଲେ କରୋନା ରକ୍ଷକ ପଲିସିରେ ସେଭଳି କିଛି ସୁବିଧା ନାହିଁ । ଗତ ଜୁଲାଇ ୧୦ରୁ ୨୯ ଟି ବୀମା କମ୍ପାନୀ କରୋନା କବଚ ପଲିସି ବିକ୍ରି କରୁଛନ୍ତି । ସେହିପରି କରୋନା ରକ୍ଷକ ପଲିସିକୁ ଜୁଲାଇ ୧୦ ପୂର୍ବରୁ ଆଣିବାକୁ ଆଇଆର୍ଡିଏଆଇ କମ୍ପାନୀଗୁଡିକୁ କହିଥିଲେ । ହେଲେ ବର୍ତ୍ତମାନ ତାହା ଉନ୍ମୋଚନ ହୋଇନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0