ବ୍ୟୁରୋ ରିପୋର୍ଟ: ଆକାଶରେ ଏକା ସାଙ୍ଗରେ ତିନୋଟି ସୂର୍ଯ୍ୟ । କୌଣସି ଉପନ୍ୟାସ କି କବିତାର ଧାଡି ନୁହେଁ । ଏହା ହେଉଛି ଏକ ବାସ୍ତବ ଚିତ୍ର । ଯାହା ଚଳିତ ସପ୍ତାହରେ ଚୀନର ତୁକିଆଙ୍ଗ ପ୍ରଦେଶରେ ଦେଖିବାକୁ ମିଳିଛି । ମୋହେ ସହରର ଆକାଶରେ ଏକକାଳୀନ ତିନୋଟି ସୂର୍ଯ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ବିରଳ ଦୃଶ୍ୟକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ସକାଳ ସାଢେ ୬ଟାରୁ ସାଢେ ୯ଟା ଯାଏଁ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ସାଢେ ତିନି ଘଣ୍ଟା ଧରି ମୋହେ ସହର ଆକାଶରେ ଏପରି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ସହରବାସୀ । ଆକାଶରେ ବାସ୍ତବ ସୂର୍ଯ୍ୟର ଦୁଇ ପାଶ୍ୱର୍ରେ ଏକ ସରଳରେଖାରେ ଅବସ୍ଥିତ ଦୁଇଟି ଆଭାସୀ ସୂର୍ଯ୍ୟ ଦୃଶ୍ୟମାନ ହୋଇଛି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଏହାକୁ ‘ସନଡଗ୍’ କୁହାଯାଏ । ଯାହା ସାଧାରଣତଃ ସୂର୍ଯ୍ୟ ବଳୟରେ ହିଁ ଦୃଶ୍ୟମାନ ହୋଇଥାଏ । ବାୟୁକଣାରେ ଝୁଲି ରହିଥିବା ତୁଷାର ସ୍ଫଟିକ ଦେଇ ସୌରରଶ୍ମି ଅତିକ୍ରମ କଲାବେଳେ ଏଭଳି ପ୍ରାକୃତିକ ପ୍ରକ୍ରିୟା ସୃଷ୍ଟି ହୋଇଥାଏ । ବିଶେଷ କରି ସୂର୍ୟ୍ୟାଲୋକ ଗୋଟିଏ ଥାଳିଆ ଆକୃତିର ତୁଷାର ସ୍ଫଟିକ ଖଣ୍ଡରୁ ନିର୍ଗତ ହୋଇ ତାହା ସହ ୬୦ ଡିଗ୍ରି କୋଣରେ ଆନତ ଅନ୍ୟ ଏକ ଅନୁରୂପ ତୁଷାର ସ୍ଫଟିକରେ ଆପତିତ ହେଲେ ଏଭଳି ପ୍ରଭାମଣ୍ଡଳ ସୃଷ୍ଟି ହୁଏ ବୋଲି ନାସା କହିଛି । ଏହି ପ୍ରକ୍ରିୟା ଯୋଗୁଁ ବେଳେ ବେଳେ ସୂର୍ୟ୍ୟୋଦୟ ସମୟରେ ସୂର୍ୟ୍ୟର ବାମ କିମ୍ବା ଡାହାଣ ପାର୍ଶ୍ବକୁ ଇନ୍ଦ୍ରଧନୁ ରଙ୍ଗର ଆଭା ଦେଖାଦେଇଥାଏ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0