ସମ୍ବଲପୁର : ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲିଛି। ଏଥି ସହିତ ହୀରାକୁଦ ଡ୍ୟାମ୍ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ଜଳସ୍ତର ବଢ଼ୁଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରି ସାରିଥିବା ଜଣାପଡ଼ିଛି। ମହାନଦୀରେ ବନ୍ୟା ଜଳ ଯୋଗୁଁ ସୁବଳୟା ଠାରୁ ରେଢାଖୋଲ ଓ ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟରେ ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇଛି। ସୋନପୁର ସହରର ବିପରୀତ ପାର୍ଶ୍ୱ ଧର୍ମଶାଳା ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ ଯୋଗୁଁ ଲୋକଙ୍କର ଗମନାଗମନ ଅସୁବିଧା ହୋଇଛି।
ପୂର୍ବରୁ ବନ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜରୁରୀ ସୂଚନା ଦେଇଛନ୍ତି। ଏସ୍ଆରସି ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମହାନଦୀ ସିଷ୍ଟମ ୧୬ଲକ୍ଷ କ୍ୟୁସେକ ଯାଏଁ ଜଳ ପ୍ରବାହ ସମ୍ଭାଳିଛି। ଏବେ ବର୍ଷା କମୁଥିବା ସହ ଜଳ ପ୍ରବାହ ୧୦ରୁ ସାଢେ୧୦ ଲକ୍ଷ ମଧ୍ୟରେ ରହିବ, ଯାହା ପାଇଁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଜଳ ସ୍ତର ବୁଥିବା ଦେଖି ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଏହା ସହ ବନ୍ୟା ଆଶଙ୍କା ଥିବା ଅଞ୍ଚଳକୁ ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ପଠାଯାଇଛି। କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0